ପଞ୍ଜାବ ପରେ ରାଜସ୍ଥାନରେ ଘନଉଛି କଂଗ୍ରେସ କନ୍ଦଳ । ୨୮ ହୋଇପାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ । ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବଢୁଛି ଦାବି

142

କନକ ବ୍ୟୁରୋ : ରାଜସ୍ତାନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସଦସ୍ୟ ଅଜୟ ମାକେନ କହିଛନ୍ତି କି ମନ୍ତ୍ରୀମଣ୍ଡଳ ବିସ୍ତାର ଓ ରାଜନୈତିକ ପଦରେ ନିଯୁକ୍ତି ନେଇ କେନ୍ଦ୍ର ନେତୃତ୍ୱଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ୱିକାର କରିବେ ।

ଅନ୍ୟପଟେ କ୍ୟାବିନେଟ୍ ବିସ୍ତାର କଥା ଉଠିବା ପରେ ରାଜସ୍ଥାନ କଂଗ୍ରେସ ୨ ଭାଗରେ ବିଭକ୍ତ ହୋଇଛି । ବୈଠକ ପୂର୍ବରୁ ପାଇଲଟଙ୍କ ସମର୍ଥକମାନେ ଜୋରଦାର ନାରାବାଜି କରିବା ସହ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଛନ୍ତି । ଅନ୍ୟପଟେ ଅଜୟ ମାକେନ କହିଛନ୍ତି କି ସେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସମ୍ବନ୍ଧରେ ନିଷ୍ପତ୍ତି ଘୋଷଣା କରିବେ । ଜିଲ୍ଲା ଓ ବ୍ଲକ ସ୍ତରରେ ଦଳର ନେତୃତ୍ୱ ନିଯୁକ୍ତି ନେଇ ସ୍ଥାନୀୟ ବିଧାୟକଙ୍କ ପରାମର୍ଶ ଗ୍ରହଣ କରାଯିବ । ଏନେଇ ଜୁଲାଇ ୨୮ ଓ ୨୯ ତାରିଖରେ ସେ ପୁଣି ରାଜସ୍ଥାନ ଆସିବେ ବୋଲି କହିଛନ୍ତି ।

ରାଜସ୍ଥାନର ଆସନ୍ତା ସପ୍ତାହରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇପାରେ ବୋଲି ଆଶା କରାଯାଉଛି । ଏହାସହ ରାଜ୍ୟରେ ରାଜନୈତିକ ନିଯୁକ୍ତି ବି କରାଯିବ । ଏହାପରେ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ତୁଟାଇବାକୁ ବି ଦଳ ହାଇକମାଣ୍ଡ ଓ ରାଜ୍ୟ ପ୍ରଭାରୀ ନିଷ୍ପତ୍ତି ନେବେ ।

କହିରଖୁ କି , ରାଜସ୍ଥାନରେ ଦଳ ଭିତରେ ଚାଲିଥିବା କନ୍ଦଳ ମେଣ୍ଟାଇବାକୁ ଶନିବାର ଦିନ ଅଜୟ ମାକେନ ଓ କେ.ସି ବେଣୁଗୋପାଳ ରାଜସ୍ଥାନରେ ପହଂଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ରାଜନୈତିକ ନିଯୁକ୍ତି ନେଇ ବିଶେଷ ଆଲୋଚନା ହୋଇଥିବା କୁହାଯାଇଛି ।