କନକ ବ୍ୟୁରୋ:ହାଇକମାଣ୍ଡଙ୍କ ତାଗିଦ ସତ୍ୱେ କଥା ମାନିଲେନି ସଚିନ ପାଇଲଟ । ମଙ୍ଗଳବାର ଉପବାସ କରି ଦିନିକିଆ ଧାରଣାରେ ସେ ବସିଛନ୍ତି ।ଧାରଣା ପଛର ଦାବି ହେଉଛି ବିଜେପି ଶାସନ ସମୟରେ ହୋଇଥିବା ଦୂର୍ନୀତିର ତଦନ୍ତ । ଗେହଲଟଙ୍କ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ପାଇଲଟ ଓ ଅନଶନରେ ବସିଛନ୍ତି । ତେବେ ଚର୍ଚ୍ଚା ହେଉଛି ବିଜେପି କାନ୍ଧରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରୁଛନ୍ତି ପାଇଲଟ । ଦୁର୍ନୀତିକୁ ପ୍ରସଙ୍ଗ କରି ଗେହଲଟଙ୍କ ବିରୋଧରେ ଲଢ଼େଇ କରିବା ମୁଡରେ ଅଛନ୍ତି ।

Advertisment

ପାଇଲଟଙ୍କ ଏଭଳି ପଦକ୍ଷେପକୁ କଂଗ୍ରେସ ନାପସନ୍ଦ କରିଛି । ଦଳ କହିଛି ଯଦି ସରକାରଙ୍କୁ ନେଇ କୌଣସି ସମସ୍ୟା ରହିଛି ତେବେ ସେ ଏଭଳି ଧାରଣା ନକରିବା ଉଚିତ ନୁହେଁ । ଗଣମାଧ୍ୟମ ଓ ଜନସାଧାରଣଙ୍କ ନିକଟରେ ବୟାନବାଜି କରିବା ବଦଳରେ ପାର୍ଟି ଫୋରମରେ ଆଲୋଚନା କରିବା ଉଚିତ । ରାଜସ୍ଥାନ କଂଗ୍ରେସ ଦାୟିତ୍ୱରେ ଥିବା ସୁଖବିନ୍ଦର ସିଂ ରାନ୍ଧୱା କହିଛନ୍ତି ୫ମାସ ହେବ ପାଇଲଟ ତାଙ୍କ ସହ କୌଣସି ଆଲୋଚନା କରି ନାହାଁନ୍ତି । ସେ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଶାନ୍ତ ରହି କାର୍ଯ୍ୟ କରିବା ଉଚିତ । ସେପଟେ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରିଛନ୍ତି ।ଏଥିରୁ ସ୍ପଷ୍ଟ ଯେ ଆଗକୁ ପାଇଲଟଙ୍କ ପାଇଁ ରାସ୍ତା ବହୁତ କଠିନ ହୋଇପାରେ ।

୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା । ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ବଡ଼ ପ୍ରଶ୍ନ ଦେଖା ଦେଇଥିଲା । ବହୁ ବିବାଦ ଭିତରେ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ହେଲେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପାଇଲଟ । ହୁଏତ ଏଭଳି ଆଭିମୁଖ୍ୟ ଆପଣାଇ ପାଇଲଟ ପୁଣି ଥରେ ରାଜସ୍ଥାନର କ୍ଷମତା ନିଜ ହାତକୁ ନେବାକୁ ଚାହୁଁଥିବା କୁହାଯାଉଛି । ପାଇଲଟଙ୍କ ଏହି ପଦକ୍ଷେପ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ ପାଇଲଟ୍ ଆଉ ଏକ ଦଳକୁ ନେଇ ବଢ଼ିବେ ନା କଂଗ୍ରେସ ଭିତରେ ରହି ନିଜ ଆନ୍ଦୋଳନକୁ ଜୋରଦାର କରିବେ ।