ରାଜସ୍ଥାନ କଂଗ୍ରେସରେ କ୍ଷମତା କନ୍ଦଳ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ପଦଭାର ନେଉ ନାହାଁନ୍ତି ବିଧାୟକ

248

କନକ ବ୍ୟୁରୋ : ଏପଟେ ଯୋଡିଲେ ସେପଟେ ଫାଟୁଛି । ସାରା ଦେଶରେ ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଭିତିରି କନ୍ଦଳ ଏବେ ଦଳକୁ ଦେଶରୁ ସମାପ୍ତ କରିବାକୁ ବସିଲାଣି । ନା ହାଇକମାଣ୍ଡଙ୍କ କଥାରେ ନେତା ନା ନେତାଙ୍କ ଦୁଖ ଶୁଣୁଛନ୍ତି ହାଇକମାଣ୍ଡ । ଏଭଳି ପରିସ୍ଥିତିରେ ରାଜସ୍ଥାନ ସରକାରରେ ପୁଣି ଭିତିରି କନ୍ଦଳ ପଦାରେ ପଡିଛି ।

ରାଜସ୍ଥାନ କଂଗ୍ରେସର ଦୁଇଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚୀନ ପାଇଲଟଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ମେଣ୍ଟାଇବାକୁ ରାଜ୍ୟ ପ୍ରଭାରୀ ଅଜୟ ମାକେନଙ୍କ ନେତୃତ୍ୱରେ ମନ୍ତ୍ରୀମଣ୍ଡଳ ଭଙ୍ଗ କରାଯାଇ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରାଗଲା । ହେଲେ ବିବାଦ ଛିଡିବା ପରିବର୍ତ୍ତେ ବଢିବାରେ ଲାଗିଛି ।

କିଛିଦିନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟିରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ୬ ଜଣ ବିଧାୟକ ଏକ ମୋର୍ଚ୍ଚା ଖୋଲିଛନ୍ତି । ନୂତନ ମନ୍ତ୍ରୀମଣ୍ଡଳରେ ସୈନିକ କଲ୍ୟାଣ ରାଜମନ୍ତ୍ରୀ ପଦ ପାଇଥିବା ରାଜେନ୍ଦ୍ର ଗୁଢା ସରକାରୀ ଗାଡି ଫେରାଇ ଦେଇଛନ୍ତି । ଏହାସହ ସେ ପଦଭାର ନେବାକୁ ବି ମନା କରିଛନ୍ତି । ଗୁଢା କହିଛନ୍ତି କି, ସେ ଏକୁଟିଆ ନୁହେଁ ବହୁଜନ ସମାଜବାଦୀ ପାର୍ଟି ଛାଡି ସେମାନେ ୬ ଜଣ କଂଗ୍ରେସରେ ଯୋଗ ଦେଇଥିଲେ । ତେଣୁ ସେ ଏକୁଟିଆ ମନ୍ତ୍ରୀ ହୋଇପାରିବେ ନାହିଁ । ଏହାସହ ଅନ୍ୟ ୫ ଜଣଙ୍କ ପାଇଁ କଂଗ୍ରେସ ବ୍ୟବସ୍ଥା କରୁ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପଟେ ୬ ବିଏସପି ବିଧାୟକ ଓ ସ୍ୱାଧୀନ ବିଧାୟକମାନେ କଂଗ୍ରେସରେ ଯୋଗ ଦେବା ପରେ ସେମାନଙ୍କ ପାଇଁ ଦଳ ସରକାର ଗଠନ କରିବାରେ ସମର୍ଥ ହେଲା କିନ୍ତୁ ଏବେ ସରକାରଙ୍କ ପାଇଁ ସେହିମାନେ ହିଁ କଣ୍ଟା ସାଜୁଛନ୍ତି । ଯାହାକୁ ନଜରରେ ରଖି ଗେହଲଟ ସରକାର ସେମାନଙ୍କ ପାଇଁ ବ୍ୟବସ୍ଥା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସେମାନଙ୍କୁ ଅନ୍ୟ କିଛି ସରକାରୀ ପଦ ଓ ଦଳର ଗୁରୁତ୍ୱପୂର୍ଣ୍ଣ ପଦରେ ଗେହଲଟ ସରକାର ଅବସ୍ଥାପିତ ନକଲେ ସେମାନେ ରାଜ୍ୟ ସରକାରଙ୍କ ପାଇଁ ବୁମେରାଂ ହୋଇପାରନ୍ତି !