ଗେହଲଟ୍ କ୍ୟାବିନେଟରେ ଅଦଳବଦଳ । ଖୁସି ଜାହିର କଲେ ସଚିନ ପାଇଲଟ୍ । ସୋନିଆ ଗାନ୍ଧୀଙ୍କୁ ଦେଲେ ଧନ୍ୟବାଦ

379

କନକ ବ୍ୟୁରୋ: ଦୀର୍ଘ ଦିନର ରାଜନୈତିକ ଚର୍ଚ୍ଚା ଆଲୋଚନା ପରେ ଶେଷରେ ରାଜସ୍ଥାନରେ ବଦଳିବାକୁ ଯାଉଛି ଗେହଲଟ୍ ମନ୍ତ୍ରୀମଣ୍ଡଳ । ଆଜି  ରାଜସ୍ଥାନରେ ନୂଆ କ୍ୟାବିନେଟ୍ ଶପଥ ନେବାକୁ ଯାଉଛି । ତେବେ ଏହାରି ଭିତରେ ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ନେତା ସଚିନ ପାଇଲଟ୍ ସାମ୍ବାଦିକ ସମ୍ମିଳନୀ କରିବା ସହିତ ନୂଆ କ୍ୟାବିନେଟକୁ ନେଇ ଖୁସି ଜାହିର କରିଛନ୍ତି । ଖାଲି ସେତିକି ନୁହେଁ ସେ କହିଛନ୍ତି, ଏହି ମନ୍ତ୍ରୀମଣ୍ଡଳର ତାଲିକା ବିଭିନ୍ନ ଦିଗକୁ ନେଇ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ସେ ସୋନିଆ ଗାନ୍ଧୀ, ଅଶୋକ ଗେହଲଟ ଓ ଅଜୟ ମାକନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପାଇଲଟ୍ କହିଛନ୍ତି, ନୂଆ କ୍ୟାବିନେଟରେ ଦଳିତ ସମାଜକୁ ଉଚିତ୍ ପ୍ରତିନିଧିତ୍ୱ ମିଳିପାରିଛି । ଚାରିଜଣ ଦଳିତ ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ବନାଯାଇଛି । ଏମାନେ ସବୁବେଳେ ଆମ ସହିତ ଠିଆ ହୋଇଆସିଥିଲେ, ତେଣୁ ମନ୍ତ୍ରୀମଣ୍ଡଳରେ ତାଙ୍କର ଯୋଗଦାନ ଏକ ଭଲ ସନ୍ଦେଶ ଦେବ । ତା ସହିତ ଦିଲ୍ଲୀ ଓ ରାଜସ୍ଥାନର ବରିଷ୍ଠ ନେତୃବୃନ୍ଦ ମିଶି ଏହି ମନ୍ତ୍ରୀମଣ୍ଡଳ ଲିଷ୍ଟ ପ୍ରସ୍ତୁତ କରିଛନ୍ତି ବୋଲି ପାଇଲଟ୍ ସୂଚନା ଦେଇଛନ୍ତି ।

ତା ସହିତ କଂଗ୍ରେସରେ କୌଣସି ଦଳ ନାହିଁ । ପାଇଲଟ୍ ଗୋଷ୍ଠୀ, ଗେହଲଟ ଗୋଷ୍ଠୀ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାକୁ ସଚିନ ପାଇଲଟ୍ ଗ୍ରହଣ କରିନାହାଁନ୍ତି । ତାଙ୍କ କହିବା କଥା, କଂଗ୍ରେସ ହିଁ ହେଉଛି ଏକମାତ୍ର ଗୋଷ୍ଠୀ । ଗତ ସାଧାରଣ ନିର୍ବାଚନରେ ସେମାନେ ସାଙ୍ଗ ହୋଇ ଲଢିଥିଲେ, ଆଗକୁ ମଧ୍ୟ ରାଜ୍ୟରେ କିପରି ସରକାର ଗଠନ ହେବ ସେଥିପାଇଁ ସେମାେ ଚେଷ୍ଟା କରୁଥିବା ପାଇଲଟ୍ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଯେଉଁମାନେ ଗ୍ରାଉଣ୍ଡ ଜିରୋରେ କାମ କରୁଛନ୍ତି, ସେମାନଙ୍କୁ ପ୍ରତିନିଧିତ୍ୱ ଦେବାକୁ ପାଇଲଟ୍ ସବୁବେଳେ ଦାବି କରିଆସୁଥିଲେ । ଏବେ ଏହି କଂଗ୍ରେସୀ ନେତାମାନଙ୍କୁ ନିଜ କର୍ମର ଫଳ ମିଳିଛି ବୋଲି ପାଇଲଟ୍ କହିଛନ୍ତି । ତେବେ ଏହି ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବା ପରେ ପାଇଲଟଙ୍କୁ କେଉଁ ଦାୟିତ୍ୱ ମିଳିବ ତା ଏପର୍ଯ୍ୟନ୍ତ ସ୍ଥିର ହୋଇନି ।