କନକ ବ୍ୟୁରୋ: ରାଜସ୍ଥାନ ସରକାରରେ ହୋଇପାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ । ଏହାରି ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଦିଲ୍ଲୀରେ ଯାଇ ପହଞ୍ଚିଛନ୍ତି । ସୂଚନା ଅନୁସାରେ କଂଗ୍ରେସ ରାଜସ୍ଥାନରେ ଏକ ବ୍ୟକ୍ତି, ଏକ ପଦର ଫର୍ମୁଲା ଲାଗୁ କରିବାକୁ ଯାଉଛି । ଏହାର ଅର୍ଥ ଜଣେ ନେତା କେବଳ ଗୋଟିଏ ପଦ ଭାର ନେଇପାରିବେ । ସେମାନଙ୍କୁ ଦୁଇ ଦୁଇଟି ପଦବୀ ଦିଆଯିବ ନାହିଁ । ଏଭଳି ହେଲେ ରାଜସ୍ଥାନ କ୍ୟାବିନେଟରେ ୧୨ ପଦ ଖାଲି ପଡିଯିବ ।
ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସଚିନ ପାଇଲଟ୍ଙ୍କ ସହ ଚାଲିଥିବା ଦୀର୍ଘ ଦିନର ବିବାଦର ଅବସାନ ଘଟାଇବାକୁ ଯାଇ କ୍ୟାବିନେଟ୍ ସମ୍ପ୍ରସାରଣ କରିବେ ବୋଲି କଳ୍ପନାଜଳ୍ପନା ଜୋର୍ ଧରିଛି। ତାଙ୍କ ମନ୍ତ୍ରାଳୟରେ ସଚିନ ପାଇଲଟ୍ଙ୍କ ସମର୍ଥକମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଗତକାଲି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଗେହଲଟଙ୍କୁ କହିଥିଲେ ବୋଲି ଶୁଣାଯାଉଛି।
ଦଳର ନେତାମାନେ କହୁଛନ୍ତି, ରାଜସ୍ଥାନ କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ରାଜ୍ୟ ନିଗମମାନଙ୍କରେ ଅଧ୍ୟକ୍ଷ ନିଯୁକ୍ତି ସମ୍ବନ୍ଧରେ ଆଲୋଚନା କରିବାକୁ ଗେହଲଟ୍ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି, ରାଜସ୍ଥାନରେ କ୍ୟାବିନେଟ୍ ପୁନର୍ବିନ୍ୟାସ କଥା ଦଳର ହାଇକମାଣ୍ଡ୍ ସ୍ଥିର କରିବେ। ଏ ସମ୍ପର୍କରେ ଅଜୟ ମାକେନଙ୍କ ପାଖରେ ସମସ୍ତ ସୂଚନା ରହିଛି। ଆମର ଇଚ୍ଛା ରାଜ୍ୟରେ ଉତ୍ତମ ଶାସନ ଚାଲୁ।