କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାରେ ବଜେଟ ଉପସ୍ଥାପନା ବେଳେ ଏକ ବଡ ଘୋଷଣା କରି ଅନ୍ୟ ରାଜ୍ୟ ସରକାରମାନଙ୍କୁ ହରଡ ଘଣାରେ ପକାଇଛନ୍ତି । ପ୍ରଥମେ ରାଜସ୍ଥାନ ସରକାର ୨୦୧୭ ମସିହାରେ ରାଜ୍ୟ କର୍ମଚାରୀଙ୍କ ଦରମା କାଟିବା ପ୍ରସ୍ତାବକୁ ପ୍ରତ୍ୟାହାର କରିଛନ୍ତି । ଏଥିରେ ରାଜ୍ୟ ସରକାରଙ୍କୁ ୧ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ । ଏହାସହ ରାଜ୍ୟରେ ପୁଣିଥରେ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ଏହି କ୍ରମରେ ୨୦୦୪ ଜାନୁଆରୀ ପହିଲା ପରେ ଯେଉଁମାନଙ୍କୁ ନିଯୁକ୍ତି ମିଳିଛି ସେମାନଙ୍କୁ ଏହାର ଲାଭ ମିଳିବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Advertisment

ଏନେଇ ଅଶୋକ ଗେହଲଟ କହିଛନ୍ତି କି “ସମସ୍ତେ ଜାଣନ୍ତି ସରକାରୀ ସେବା ସହିତ ଜଡିତ କର୍ମଚାରୀଙ୍କ ଭବିଷ୍ୟତ ସୁରକ୍ଷିତ ବୋଲି ସେମାନେ ଅନୁଭବ କରିବା ପରେ ସେମାନେ ରାଜ୍ୟବାସୀଙ୍କୁ ଉତ୍ତମ ସେବା ଦେବାରେ ସକ୍ଷମ ହେବେ । ଏଣୁ ୨୦୦୪ ଜାନୁଆରୀ ପହିଲା ପରେ ନିଯୁକ୍ତ ହୋଇଥିବା ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନା ମୁତାବକ ପେନସନ ପ୍ରଦାନ କରାଯିବ”

କହିରଖୁ କି ରାଜସ୍ଥାନ ସରକାର ରାଜ୍ୟ ବଜେଟରେ ସ୍ୱାସ୍ଥ୍ୟସେବାକୁ ବି ଗୁରୁତ୍ୱ ଦେଇଛନ୍ତି । ଏହି କ୍ରମରେ ଆସନ୍ତା ବର୍ଷ ରାଜ୍ୟର ୧୮ ଟି ଜିଲ୍ଲାରେ ନୂଆ ନର୍ସିଂ କଲେଜ ଖୋଲିବା ନେଇ ବଜେଟରେ ବ୍ୟୟବରାଦ କରାଯାଇଛି । ହସ୍ପିଟାଲଗୁଡିକରେ ଶଯ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହାସହ ଚିରଞ୍ଜିବୀ ଯୋଜନାରେ ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଦିଆଯାଉଥିବା ସହାୟତା ରାଶି ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧିି କରିଛନ୍ତି ଗେହଲଟ ସରକାର ।