ଦୁବେଙ୍କ ଦମଦାର ବ୍ୟାଟିଂ: ୭ ୱିକେଟରେ ଚେନ୍ନାଇକୁ ହରାଇଲା ରାଜସ୍ଥାନ

137

କନକ ବ୍ୟୁରୋ: ଆଜିର ମ୍ୟାଚରେ ରାଜସ୍ଥାନ ଦମଦାର ବ୍ୟାଟିଂ କରିଛି । ଏଥିରେ ଶୁଭମ ଦୁବେଙ୍କ ବ୍ୟାଟରୁ ଛକା ଚୌକାର ବର୍ଷା ଦେଖିବାକୁ ମିଳିଛି । ଫଳରେ ରାଜସ୍ଥାନ ଏହି ମ୍ୟାଚରେ ଚେନ୍ନାଇକୁ ୭ ୱିକେଟରେ ପରାସ୍ତ କରିଛି । ବିଜୟ ସହ ରାଜସ୍ଥାନ ୨ ପଏଣ୍ଟ ହାସଲ କରିଛି ।

ଏହି ମ୍ୟାଚରେ ରାଜସ୍ଥାନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ଦଳ । ଚେନ୍ନାଇ ପକ୍ଷରୁ ଦୁଇ ଓପନର ଭଲ ଆରମ୍ଭ ଦେଇଥିଲେ । ହେଲେ ଡୁପ୍ଲେସିସ ଆଉଟ ହୋଇଯିବା ପରେ ଦଳୀୟ ସ୍କୋର ଧିମା ହୋଇଯାଇଥିଲା । ହେଲେ ଋତୁରାଜ ନିଜ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ଏହାସହ ରବିନ୍ଦ୍ର ଜାଡେଜା ମଧ୍ୟ ଶେଷ ବେଳକୁ ଆସି ଧୂଆଁଧାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।

ଏହି ମ୍ୟାଚରେ ଚେନ୍ନାଇ ପକ୍ଷରୁ ଗାଏକ୍ୱାଡ ୧୦୧, ଜାଡେଜା ୩୨ ଓ ମୋଇନ ଅଲ୍ଲୀ ୨୧ ରନ କରିଥିଲେ । ଫଳରେ ଚେନ୍ନାଇ ୨୦ ଓଭରରେ ୪ ୱିକେଟ ହରାଇ ୧୮୯ ରନ କରିଥିଲା ।

୧୯୦ ରନର ବିଜୟ ଲକ୍ଷ୍ୟ ନେଇ ମୌଦାନକୁ ଓହ୍ଲାଇଥିବା ରାଜସ୍ଥାନ ଦଳ ଚମତ୍କାର ଆରମ୍ଭ କରିଥିଲେ । ଦୁଇ ଓପନର ଭଲ ଆରମ୍ଭ ଦେବା ପରେ ଶିଭମ ଦୁବେଙ୍କ ଦମଦାର ବ୍ୟାଟିଂ ଦଳକୁ ବିଜୟ କରାଇଥିଲା । ଏହି ମ୍ୟାଚରେ ଶିଭମ ଦୁବେ ୬୪, ଜୟସ୍ୱାଲ ୫୦ ଓ ଲୁଇସ ୨୭ ରନ କରିଥିଲେ । ଫଳରେ ଦଳ ୧୭ ଓଭର ୩ଟି ବଲରେ ୩ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।