ନଭେମ୍ବର ୨୩ରେ ଭୋଟ୍, ଡିସେମ୍ବର ୩ରେ ରେଜଲ୍ଟ । ରାଜସ୍ଥାନରେ କିଏ ଗଢିବ ସରକାର? କଂଗ୍ରେସ – ବିଜେପି ଭିତରେ ଜୋରଦାର ହେବ ଟକ୍କର….

189

କନକ ବ୍ୟୁରୋ: ରାଜସ୍ଥାନରେ ବଦଳିବ କି ସରକାର? ନା ନିଜ ଗଡ ରକ୍ଷା କରିପାରିବ କଂଗ୍ରେସ? ରାଜସ୍ଥାନରେ କେଉଁ ଦଳର ନେତା ହେବେ ମୁଖ୍ୟମନ୍ତ୍ରୀ? ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ, ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଇଛି ତାରିଖ । ଆସନ୍ତା ନଭେମ୍ବର ୨୩ ତାରିଖରେ ଏଠାରେ ଭୋଟ୍ ପଡିବାକୁ ଥିବାବେଳେ, ଡିସେମ୍ବର ୩ ତାରିଖରେ ଆସିବ ଫଳାଫଳ । ମୋଟ ୨୦୦ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ ।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ, ରାଜସ୍ଥାନରେ ମୋଟ ୫.୨୫ କୋଟି ଭୋଟର ରହିଛନ୍ତି । ଯିଏକି ସରକାର ଗଢିବାକୁ ଭୋଟ୍ ଦେବେ । ଏହା ଭିତରୁ ୨.୭୩ କୋଟି ପୁରୁଷ ଭୋଟର ଥିବାବେଳେ, ୨.୫୨ କୋଟି ମହିଳା ଭୋଟର ରହିଛନ୍ତି । ତେବେ ଏଥର ନିର୍ବାଚନରେ ନୂଆ କରି ଭାଗ ନେବାକୁ ଥିବା ୨୨.୦୪ ଲକ୍ଷ ନୂଆ ଭୋଟରଙ୍କୁ ନିଜ ପଟକୁ ନେବାକୁ ଉଭୟ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି ।

ଏଥରର ରାଜସ୍ଥାନ ବିଧାନସଭା ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଲୋକସଭା ନିର୍ବାଚନକୁ ଆଉ ମାତ୍ର କମ୍ ସମୟ ଥିବାରୁ, ବିଜେପି ରାଜସ୍ଥାନରେ ନିଜ ସରକାର ଗଢିବାକୁ ନିଶ୍ଚୟ ଚେଷ୍ଟା କରିବ । ଅନ୍ୟପଟେ ରାଜସ୍ଥାନରେ ଏବେ ଗେହଲଟ ସରକାର ଥିବାରୁ କଂଗ୍ରେସ ମଧ୍ୟ ନିଜ ଗଡ ରକ୍ଷା କରିବାକୁ ପ୍ରାଣମୂର୍ଛା ଉଦ୍ୟମ କରିବ । ହେଲେ ଏହାରି ଭିତରେ ଦୁଇଟି ଯାକ ଦଳ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବା ରାଜନୈତିକ ପଣ୍ଡିତମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେପି ବିନା କୌଣସି ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, କଂଗ୍ରେସ ମିଳିତ ନେତୃତ୍ୱରେ ବିଶ୍ୱାସ କରି ନିର୍ବାଚନକୁ ଓହ୍ଲାଇଛି ।

କଣ ଥିଲା ୨୦୧୮ ନିର୍ବାଚନର ଫଳାଫଳ?

୨୦୧୮ ମସିହାରେ ହେଇଥିବା ନିର୍ବାଚନରେ ରାଜସ୍ଥାନର ୨୦୦ ବିଧାନସଭା ସିଟରୁ ୧୯୯ ସିଟରେ ନିର୍ବାଚନ ହେଇଥିଲା । ସେତେବେଳେ ରାଜସ୍ଥାନରେ ବିଜେପି ସରକାର ଥିବାବେଳେ, କଂଗ୍ରେସ ବିରୋଧୀ ସିଟରେ ରହିଥିଲା । ହେଲେ ୨୦୧୮ ବିଧାନସଭା ନିର୍ବାଚନରେ ୩୯.୮ ପ୍ରତିଶତ ଭୋଟ୍ ସେୟାର ସହିତ କଂଗ୍ରେସ ୯୯ ସିଟ୍ ଜିତି ରାଜସ୍ଥାନରେ ସବୁଠୁ ବଡ ପାର୍ଟି ହେଇ ଉଭା ହେଇଥିଲା । ଆଉ ବହୁମତରୁ ମାତ୍ର ଦୁଇଟି ସିଟ୍ ପଛରେ ରହିଥିଲା । ଅନ୍ୟପଟେ ସେତେବେଳେ ଶାସକ ଗାଦିରେ ବସିଥିବା ବିଜେପି ୩୯.୮ ପ୍ରତିଶତ ଭୋଟ୍ ସେୟାର ସହିତ ୭୩ଟି ସିଟ୍ ଜିତିବାକୁ ସକ୍ଷମ ହେଇଥିଲା ।

ତେବେ ୨୦୧୮ ମସିହାରେ ବିଜେପି ସାମ୍ନାରେ ସରକାର ବଞ୍ଚେଇବାର ପରୀକ୍ଷା ଥିଲା । ହେଲେ ଏଥିରେ ବିଜେପି ଫେଲ୍ ମାରିଥିଲା । ରାଜସ୍ଥାନରେ ପଟ୍ଟ ପରିବର୍ତ୍ତନ ହେବାର ପରମ୍ପରା କାଏମ୍ ରହିବା ସହିତ ସରକାର ଗଢିଥିଲା କଂଗ୍ରେସ । ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଅଶୋକ ଗେହଲଟ । ହେଲେ ଏଥର କିନ୍ତୁ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବାକୁ ମନସ୍କ କରିଛି । ବିଜେପି ମୋଦୀଙ୍କ ନାମରେ ଭୋଟ୍ ମାଗିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ବିକାଶର ମୁଦ୍ଦାକୁ ନେଇ ନିର୍ବାର୍ଚନ ଲଢିବ ବୋଲି କୁହାଯାଉଛି ।

ଅନ୍ୟପଟେ କଂଗ୍ରେସ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ପଛଘୁଞ୍ଚା ଦେଉଛି । ସଚିନ ପାଇଲଟଙ୍କ ସହ ତାଙ୍କର ରାଜନୈତକ ଶୀତଳ ଯୁଦ୍ଧ କଂଗ୍ରେସକୁ ଅକଳରେ ପକାଇଛି । ତେବେ ଏ ସବୁ ଭିତରେ ରାଜସ୍ଥାନରେ ସରକାର ପରିବର୍ତ୍ତନ କରିବାର ପରମ୍ପରା କାଏମ ରହୁଛି କି ନାହିଁ? ରାଜସ୍ଥାନରେ କିଏ ନୂଆ ସରକାର ଗଢୁଛି ତାହା ଦେଖିବା ବାକି ରହିଲା ।