କନକ ବ୍ୟୁରୋ : ରାଜସ୍ଥାନ ଦୁର୍ନୀତି ନିରୋଧ ବ୍ୟୁରୋ ତରଫରୁ ଜଣେ ଇଡି ଅଧିକାରୀଙ୍କୁ ହେପାଜତକୁ ନିଆଯାଇଛି । ଇଡି ଅଧିକାରୀ ନବଲ କିଶୋର ମୀଣା ନାମକ ଏହି ଇଡି ଅଧିକାରୀ ଜଣଙ୍କ ଜଣେ ବ୍ୟବସାୟୀଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗରେ ଏସିବି ତାଙ୍କୁ ଅଟକ ରଖିଛି । ଏହା ପୂର୍ବରୁ ଏସିବି ଇଡି ଅଧିକାରୀଙ୍କର ଆୟ ଠାରୁ ଅଧିକ ସମ୍ପତ୍ତି ରହିଛି ବୋଲି ଜାଣିବାକୁ ପାଇଥିଲା । ଏହାପରେ ଏସିବି ତରଫରୁ ଇଡି ଅଧିକାରୀଙ୍କର ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ଚଢାଉ ବେଳେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବଲ କିଶୋରଙ୍କୁ ହେପାଜତକୁ ନେଇଛି । ଖୁବଶୀଘ୍ର ତାଙ୍କୁ ଗିରଫ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

Advertisment

ରାଜସ୍ଥାନରେ ଆଗକୁ ବିଧାନସଭା ନିର୍ବାଚନ ରହିଛି । ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯାଂଚ ଏଜେନ୍ସ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜସ୍ଥାନରେ ସକ୍ରିୟ ହୋଇ ଉଠିଛି । ଏକ ୧୨ ବର୍ଷ ତଳର ମାମଲାକୁ ନେଇ ଇଡି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ନୋଟିସ କରିଛି । ଏହାସହ ଅନ୍ୟ ଏକ ମାମଲାରେ ରାଜସ୍ଥାନ କଂଗ୍ରେସ ମୁଖ୍ୟଙ୍କ ଠିକଣାରେ ମଧ୍ୟ ଇଡି ଚଢାଉ କରିଥିଲା ।