ସିନ୍ଧିଆଙ୍କ ପରେ ସଚିନ୍: ବିଜେପିରେ ଯୋଗ ଦେବେ କି ସଚିନ ପାଇଲଟ୍; ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ସାକ୍ଷାତ ନେଇ ଚର୍ଚ୍ଚା

ଆଜିର ବିଧାୟକ ଦଳ ବୈଠକ ଉପରେ ସମସ୍ତଙ୍କ ନଜର: ଗେହଲଟଙ୍କ ଅଭିଯୋଗ, ିଜେପି କରୁଛି ଘୋଡା ବେପାର

196

କନକ ବ୍ୟୁରୋ: ରାଜସ୍ଥାନ କଂଗ୍ରେସରେ କ୍ଷମତା ଲଢେଇ । ଦଳରେ ଖୋଲାଖୋଲି ବିଦ୍ରୋହ ନାରା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ଦିଲ୍ଲୀରେ ଥିବା ସଚିନ ଆଜି ରାଜସ୍ଥାନରେ ହେବାକୁ ଥିବା କଂଗ୍ରେସ ବିିଧାୟକ ଦଳ ବୈଠକରେ ଯୋଗ ଦେବେନି ବୋଲି ସଫା ସଫା କହିଛନ୍ତି । ମିଳିିଥିବା ସୂଚନା ଅନୂସାରେ, ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିପାରନ୍ତି ସଚିନ୍ ପାଇଲଟ୍ । କୁହାଯାଉଛି, ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ସଚିନ ପାଇଲଟ୍ ବିଜେପିରେ ଯୋଗ ଦେବା ସମ୍ଭାବନା ଅଧିକ ।

ଏହାରିଭିତରେ ସିନ୍ଧିଆଙ୍କ ସହ ସଚିନ, ୪୦ ମିନିଟ୍ ଧରି ଆଲୋଚନା କରିଛନ୍ତି । ନିଜ ପାଖରେ ୩୦ ଜଣ ବିଧାୟକଙ୍କ ସମର୍ଥନ ରହିଥିବା ସଚିନ ଦାବି କରୁଛନ୍ତି । ଏଥିସହ କିଛି ସ୍ୱାଧୀନ ବିଧାୟକ ମଧ୍ୟ ତାଙ୍କୁ ସମର୍ଥନ କରୁଥିବା ସଚିନ ସ୍ପଷ୍ଟ କରିଛନ୍ତି । ତେଣୁ ରାଜସ୍ଥାନର ଗେହଲଟ ସରକାର ସଂଖ୍ୟାଲଘୁ ହୋଇଯାଇଥିବା ପାଇଲଟ୍ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି ଯେ, ସରକାର ପ୍ରତି କୌଣସି ବିପଦ ନାହିଁ । ତାଙ୍କ ସରକାରଙ୍କ ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଅସହିଷ୍ଣୁ ହୋଇପଡିଛନ୍ତି । ରାଜ୍ୟର କଂଗ୍ରେସ ବିଧାୟକଙ୍କୁ ଅର୍ଥ ଲୋଭ ଦେଖାଇ ସରକାର ଭାଂଗିବା ଲାଗି ବିଜେପି ଉଦ୍ୟମ କରୁଛି ବୋଲି ଗେହଲଟ୍ ଅଭିଯୋଗ କରିଛନ୍ତି ।

ସମସ୍ତଙ୍କ ନଜର ଅଟକି ରହିଛି ଆଜିର ବିଧାୟକ ଦଳ ବୈଠକ ଉପରେ । ସକାଳ ପ୍ରାୟ ସାଢେ ୧୦ଟାରେ ବସିବାକୁ ଥିବା ଏହି ବୈଠକରେ କେତେଜଣ ବିଧାୟକ ସାମିଲ ହେଉଛନ୍ତି ଏବଂ ସଚିନ ଦିଲ୍ଲୀରୁ ଫେରୁଛନ୍ତି କି ନାହିଁ ତାହା ବେଶ୍ ଗୁରୁତ୍ୱପୂର୍ଣ୍ଣ । ରାଜସ୍ଥାନ ସରକାର ଟଳମଳ ସ୍ଥିତିରେ ଥିବା ବେଳେ କଂଗ୍ରେସ ହାଇକମାଣ୍ଡ ସଙ୍କଟ ସୁଧାରିବା ପାଇଁ ବରିଷ୍ଠ ନେତାଙ୍କୁ ରାଜସ୍ଥାନ ପଠାଇଛନ୍ତି । ଦିଲ୍ଲୀ କଂଗ୍ରେସ ନେତା ଅଜୟ ମାକେନ, ରାଜସ୍ଥାନ କଂଗ୍ରେସ ପ୍ରଦେଶ କମିଟି ମୁଖ୍ୟ ଅବିନାଶ ପାଣ୍ଡେ ଏବଂ ଦଳର ବରିଷ୍ଠ ମୁଖପାତ୍ର ରଣଦୀପ ସୁର୍ଯେୱାଲା ରାଜସ୍ଥାନରେ ପହଁଚିଛନ୍ତି । ଆଜିର ବିଧାୟକ ଦଳ ବୈଠକ ପରେ ସରକାର ବଂଚାଇବାକୁ ରଣନୀତି ତିଆରି କରିବେ ଉଭୟ ବରିଷ୍ଠ ନେତା ।

ରବିବାର ସକାଳେ ଦଳର ପ୍ରାୟ ୧୫ ଜଣ ବିଧାୟକଙ୍କୁ ନେଇ ପାଇଲଟ୍ ଦିଲ୍ଲୀରେ ପହଁଚିଥିଲେ । ଏହାପରେ ତାଙ୍କୁ ତୁରନ୍ତ ରାଜସ୍ଥାନ ଫେରିଯିବା ପାଇଁ କଂଗ୍ରେସ ହାଇକମାଣ୍ଡ ନିର୍ଦେଶ ଦେଇଥିଲେ । ହେଲେ ପାଇଲଟ୍ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ରାଜସ୍ଥାନ ଫେରିନାହାଁନ୍ତି । ଗେହଲଟ ତାଙ୍କୁ ଅପମାନିତ ଓ ଅଣଦେଖା କରୁଥିବା ପାଇଲଟ୍ ଅଭିଯୋଗ କରିଛନ୍ତି । ସେପଟେ ରାଜସ୍ଥାନରେ ମଧ୍ୟପ୍ରଦେଶ ଭଳି ଦଳରେ ବିଭାଜନ ଆଶଙ୍କା କରି ଦଳୀୟ ସୁପ୍ରିମୋ ବିବ୍ରତ ହୋଇପଡିଛନ୍ତି ।