ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେଦ ଫାଲକେ ସମ୍ମାନ । ବର୍ଷ ୨୦୨୦ ପାଇଁ ଫାଲକେ ସମ୍ମାନ ପାଇବେ ରଜନୀକାନ୍ତ ।

163

କନକ ବ୍ୟୁରୋ: ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ୨୦୧୯ ବର୍ଷ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଜନୀକାନ୍ତଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଥଲାଇବାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳିବାକୁ ଯାଉଛି । କେବଳ ସେତିକି ନୁହେଁ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନୀସ୍ୱାମୀ ରଜନୀକାନ୍ତଙ୍କ ସହିତ ଫୋନ ଯୋଗେ କଥା ହୋଇ ଶୁଭେଚ୍ଛା ବାର୍ତା ଦେଇଛନ୍ତି । ଏହି ଟୁଇଟର ଜବାବରେ ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ଜୁରି ସଦସ୍ୟମାନଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ଏହି ପୁରା ଯାତ୍ରାରେ ଯେଉଁମାନେ ଗୋଟିଏ ଗୋଟିଏ ଅଂଶ ସେମାନଙ୍କ ପାଇଁ ଏହି ପୁରସ୍କାର ବୋଲି କହିଛନ୍ତି । ଭଗବାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଏହି ସୁପରଷ୍ଟାର ।

ତାମିଲନାଡୁରେ ନିର୍ବାଚନର ଦିନକ ପୂର୍ବରୁ ଏହି ୭୦ବର୍ଷିୟ ସୁପରଷ୍ଟାରଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଛି । ତାମିଲନାଡୁରେ ହିଁ ରଜନୀକାନ୍ତଙ୍କର ବହୁତ ପ୍ରଶଂସକ ରହିଛନ୍ତି । ତେବେ ନିର୍ବାଚନ ଏବଂ ପୁରସ୍କାରକୁ ଯୋଡି ପ୍ରକାଶ ଡାଭଡେକରଙ୍କୁ ପ୍ରଶ୍ନ ପଚରାଯିବାରୁ ସେ କହିଥିଲେ, ଏହି ପୁୁରସ୍କାର ସିନେମା ସହିତ ଜଡିତ ଏବଂ ରଜନୀକାନ୍ତ ୫୦ବର୍ଷ ଧରି ସିନେମା ସହିତ ଅଛନ୍ତି ।

ଏହି ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାରର ଜୁରି ମେମ୍ବରମାନଙ୍କ ମଧ୍ୟରେ ଥିଲେ, ପ୍ଲେ-ବ୍ୟାକ ସିଙ୍ଗର ଆଶା ଭୋଷଁଲେ, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ସୁବାସ ଘାଇ, ମାଲାୟାଲମ ସୁପରଷ୍ଟାର ମୋହନ ଲାଲ, ମ୍ୟୁଜିକ କମ୍ପୋଜର ଏବଂ ସିଙ୍ଗର ଶଙ୍କର ମହାଦେବନ ଏବଂ ବିଶ୍ୱଜିତ ଚାଟାର୍ଜୀ । ରଜନୀକାନ୍ତଙ୍କୁ ପୁରସ୍କାର ଦିଆଯିବା କଥା ପ୍ରଥମେ ଟୁଇଟ କରି ଘୋଷଣା କରିଥିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର । ଆସନ୍ତା ମେ ମାସ ୩ ତାରିଖରେ ରଜନୀକାନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ରଜନୀକାନ୍ତଙ୍କୁ ପୁରସ୍କାର ଦିଆଯିବା ନେଇ ଘୋଷଣା ପରେ ଏହା ଟୁଇଟରରେ ଟ୍ରେଣ୍ଡ କରୁଛି । ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତା କମଲହାସନ ତାମିଲଭାଷାରେ ଟୁଇଟ କରି କହିଛନ୍ତି ପରଦାରେ ଆସି ପ୍ରଶଂସକମାନଙ୍କର ଯଦି କିଏ ମନ କିଣିନିଏ ସେ ହେଉଛନ୍ତି ରଜନୀକାନ୍ତ । ଏହି ପୁରସ୍କାର ପାଇବା ପାଇଁ ସେ ଶତ ପ୍ରତିଶତ ଯୋଗ୍ୟ । ଏହାପୂର୍ବରୁ ରଜନୀକାନ୍ତଙ୍କୁ ପଦ୍ମଭୂଷଣ ଏବଂ ପଦ୍ମ ବିଭୁଷଣ ପୁରସ୍କାରରେ ସମ୍ମାନୀତ କରାଯାଇଛି । ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ଜନ୍ମ ହୋଇଥିବା ରଜନୀକାନ୍ତ ସିନେମାରେ ଅଭିନୟ କରିବା ପାଇଁ ଭାରତରେ ସବୁଠାରୁ ଅଧିକ ଟଙ୍କା ପାଉଥିବା ଅଭିନେତା ।