କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀରୁ ବିଜେଡିର ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଘରେ ଘରେ ବିକାଶ ବାର୍ତ୍ତା ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନମଣ୍ଡଳୀୱାରୀ ପଦଯାତ୍ରା ଆରମ୍ଭ ହୋଇଛି । ତେବେ ଏହି ପଦଯାତ୍ରାରେ ରାଜନଗର ନିର୍ବାଚନମଣ୍ଡଳୀରେ ଥିବା ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି । ଗୋଟିଏ ପଟେ ବିଧାୟକ ଧ୍ରୁବ ସାହୁଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀଙ୍କ ସମର୍ଥକ ନବୀନଙ୍କ ଫଟୋ ଓ ଶଙ୍ଖ ଚିହ୍ନ ଥିବା ବ୍ୟାନରରେ ଜରିମୂଳ ମାଟିଆ ମଙ୍ଗଳା ନିକଟରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି । ଧ୍ରୁବଙ୍କ ନେତୃତ୍ୱରେ ହେଉଥିବା ପଦଯାତ୍ରାରେ ଦଳର ସମସ୍ତ କର୍ମୀ ଓ ପଦାଧିକାରୀ ଉପସ୍ଥିତ ଥିଲେ ମଧ୍ୟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ପୂର୍ବତନ ବ୍ଲକ ସଭାପତି ଅଶୋକ ପ୍ରତିହାରୀଙ୍କ ଅନୁପସ୍ଥିତି ରାଜନଗର ବିଜେଡିରେ ସବୁକିଛି ଠିକ୍ ନଥିବା ସଂକେତ ଦେଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତ କିଛି ଦିନ ତଳେ ଧ୍ରୁବ ଓ ଅଶୋକଙ୍କ ମଧ୍ୟରେ ଥିବା ବିବାଦ ଗଣମାଧ୍ୟମର ଶିରୋନାମା ସାଜିଥିଲା । ଯାହା ରାଜନଗର ବିଜେଡି ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ଅଶୋକଙ୍କ ସମର୍ଥକ ବିଧାୟକ ଧ୍ରୁବ ସାହୁଙ୍କୁ ଖୋଲାଖୋଲି ଟାର୍ଗେଟ କରୁଥିବାର ପୋଷ୍ଟ ସୋସିଆଲ ମିଡ଼ିଆରେ ଘୂରି ବୁଲିଥିଲା । ଏପରିକି ଆଗାମୀ ନିର୍ବାଚନରେ ଧ୍ରୁବଙ୍କ ବଦଳରେ ଅଶୋକଙ୍କୁ ବିଜେଡିରୁ ବିଧାୟକ ପ୍ରାର୍ଥୀ କରିବାକୁ ସୋସିଆଲ ମିଡ଼ିଆରେ କ୍ୟାମ୍ପେନକୁ ଜୋରଦାର କରିଥିଲେ ଅଶୋକଙ୍କ ସମର୍ଥକ । ବିଧାୟକ ଧ୍ରୁବଙ୍କ ସମର୍ଥକ ମଧ୍ୟ ସୋସିଆଲ ମିଡ଼ିଆରେ ଏହାକୁ କାଉଣ୍ଟର କରିବାକୁ ଜୋର ଲଗାଇଦେଇଥିଲେ । ତେବେ ଅଶୋକଙ୍କ ସମର୍ଥକଙ୍କ ପକ୍ଷରୁ ଧ୍ରୁବଙ୍କ ବିରୋଧରେ ଦିଆଯାଇଥିବା ଯୁଦ୍ଧଂ ଦେହିଂ ଡାକରା ଅଶୋକଙ୍କ ଠାରୁ ବ୍ଲକ ସଭାପତି ପଦ ଛଡାଇ ନେଇଥିଲା । ଏହାପରେ ଅଶୋକ ଚୁପ୍ ରହିଛନ୍ତି । ଅନ୍ୟପଟେ ଧ୍ରୁବ କହିଛନ୍ତି, ବିରୋଧୀଙ୍କ ଚକ୍ରାନ୍ତ ମୋତେ ଅଧିକ କାମ କରିବାକୁ ଉତ୍ସାହିତ କରୁଛି ।
ଗୋଟିଏ ପଟେ ପଦଯାତ୍ରାରେ ଅଶୋକ ଅନୁପସ୍ଥିତ ରହିଥିବା ବେଳେ ତାଙ୍କ ଫଟୋ ଥିବା ବ୍ୟାନର ରଖି ସମର୍ଥକ ମାନେ ସଫେଇ କାର୍ଯ୍ୟକ୍ରମ କରିବା ରାଜନଗର ରାଜନୀତିକୁ ଉଷ୍ମ କରିଛି । ଅଶୋକଙ୍କ ସମର୍ଥକ ଏହାକୁ ରାଜନୈତିକ ନୁହେଁ ବୋଲି କହିବା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସଫେଇ କାର୍ଯ୍ୟ କରୁଥିବା କହିଛନ୍ତି । ଅନ୍ୟପଟେ ଧ୍ରୁବଙ୍କ ସମର୍ଥକ କହିଛନ୍ତି, ସେଭଳି କୌଣସି କାର୍ଯ୍ୟକ୍ରମ ବାବଦରେ ଜାଣିନାହୁଁ । ଯଦି କେହି ସେଭଳି କାର୍ଯ୍ୟକ୍ରମ କରିଛନ୍ତି, ତେବେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ରାଜନଗର ବିଜେଡି ରାଜନୀତିରେ ଏଭଳି ଗୋଷ୍ଠୀ କନ୍ଦଳ ଆଗକୁ କେଉଁ ମୋଡ ନେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।