କନକ ବ୍ୟୁରୋ: ବିଳମ୍ବିତ ରାତିରେ କୁମ୍ଭୀର ମୁହଁରେ ପଡିଯାଇଥିଲା ଜୀବନ । ଶୌଚ ପାଇଁ ଯାଇଥିବା ବ୍ୟକ୍ତିଙ୍କୁ ନଇ କୂଳରୁ ଟାଣି ନେଇଥିଲା ମଣିଷଖିଆ ମଗର । ହେଲେ ନଦୀରେ ଦିଆଯାଇଥିବା ତାର-ବାଡରେ ଅଟକି ଯାଇଥିଲା ଜୀବନ । ବେକ ଓ ମୁଣ୍ଡକୁ କୁମ୍ଭୀର ଆକ୍ରମଣ କରିଥିଲେ ବି, କୁମ୍ଭୀର ସହ ଲଢେଇ କରି ଜୀବନ ଫେରାଇ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଡଜୋରମୁହଁ ଗାଁର ନିତ୍ୟାନନ୍ଦ ପାତ୍ର । କୁମ୍ଭୀର ଆକ୍ରମଣ ଯୋଗୁଁ ନିତ୍ୟାନନ୍ଦଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥା କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଶୌଚ ପାଇଁ ଖରସ୍ରୋତା ନଦୀକୁ ଯାଇଥିଲେ ନିତ୍ୟାନନ୍ଦ । ସେହି ସମୟରେ ତାଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଉଥିବା ବେଳେ ନଦୀକୂଳର ଗାଧୁଆ ତୁଠରେ ଦିଆଯାଇଥିବା ତାର ବାଡରେ ଲାଖି ଯାଇଥିଲେ ନିତ୍ୟାନନ୍ଦ । ଏହାପରେ କୁମ୍ଭୀର ଓ ନତ୍ୟାନନ୍ଦଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଲଢେଇ । ଶେଷରେ ନିତ୍ୟାନନ୍ଦଙ୍କ ଜୟ ହୋଇଥିଲା, ସେ କୁମ୍ଭୀର ମୁହଁରୁ ଜୀବନ ବଂଚାଇ ରକ୍ତାକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ତାଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ନିତ୍ୟାନନ୍ଦଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।