କନକ ବ୍ୟୁରୋ: ବାଚସ୍ପତି ନିର୍ବାଚନ ଜୁନ୍ ୨୦ ତାରିଖରେ ହେବ । ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି । ଏଥିପାଇଁ ବିଜେଡିର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନିଯୁକ୍ତ କରାଯାଇଛି । ବିଧାନସଭାରେ ବିଜେପି ୧୪୭ଟି ଆସନରୁ ୭୮ଟିରେ ବିଜୟୀ ହୋଇଛି । ତିନି ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଜଣାଇଛନ୍ତି । ବିଜେପି ପକ୍ଷରୁ ସୁରମା ପାଢୀଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା ରହିଛି ।

Advertisment

ସେପଟେ ୨୬ ଜୁନରେ ଲୋକସଭାର ବାଚସ୍ପତି ନିର୍ବାଚନ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । କିଏ ହେବେ ଲୋକସଭାର ବାଚସ୍ପତି । ମୋଦୀ ସରକାରର ତୃତୀୟ ପାଳିରେ ଏନଡିଏର କେଉଁ ଦଳ ପାଖରେ ବାଚସ୍ପତି ଆସନ ରହିବ, ଏନେଇ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ବାଚସ୍ପତି ନିର୍ବାଚନ ତାରିଖ । ୨୭ ତାରିଖରେ ପୂର୍ବାହ୍ଣ ୧୧ଟାରେ ସଂସଦକୁ ସମ୍ବୋଧନ କରିବେ ରାଷ୍ଟ୍ରପତି । ଏହା ପୂର୍ବରୁ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ । ୨୪ ଓ ୨୫ ତାରିଖରେ ପ୍ରୋଟେମ୍ ସ୍ପିକର ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରାଇବେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ବାଚସ୍ପତି ପଦକୁ ବିଜେପି ନିଜ ପାଖରେ ରଖିବାକୁ ନିଷ୍ପତ୍ତିନେଇଛି । ଅନ୍ୟପଟେ ଏନଡିଏର ସହଯୋଗୀ ଦଳ ଟିଡିପି ମଧ୍ୟ ଏହି ବାଚସ୍ପତି ଆସନ ଉପରେ ଆଖି ପକାଇଥିବା ଜଣାପଡିଛି ।