କନକ ବ୍ୟୁରୋ: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ 

Advertisment

ହଁ... ରଜ ଆସିଛି । ଏଥର ରଜ ଆସିଛି ଦୋଳିରେ, ରଜ ଆସିଛି ମିଠାରେ ଆଉ ଏଥର ରଜ ଆସିଛି ସୁଆଦିଆ ପାନ ଆଉ ପୋଡ ପିଠାରେ । ଆମେ ଓଡିଆ ବର୍ଷକ ବାରମାସରେ ପାଳୁ ତେର ପର୍ବ । ହେଲେ ରଜ କିନ୍ତୁ ତା ଭିତରୁ ଟିକେ ନିଆରା । ବରଷକେ ଥରେ ଆସେ ରଜ, ଆଉ ଥରେ ଆସେ ରଜର ମଉଜ । ପ୍ରତିବର୍ଷ ରଜ ଆସେ ଗାଁ ଦାଣ୍ଡରେ,ଆମ୍ବ ତୋଟାରେ, ସହର ବଜାରରେ । ରଜ ଆସିଲେ ଚଳଚଞ୍ଚଳ ହେଇଉଠେ କୁଆଁରୀର ମନ । ହଁ, ପ୍ରତିବର୍ଷ ରଜ ଆସେ ଏ ବର୍ଷା ଭିଜା ମାଟିର ସୁଗନ୍ଧରେ । ରଜ ଆସେ କୁଆରୀଁ ପାଦର ଲାଲି ଅଳତାରେ, ନୂଆ ଡ୍ରେସରେ, ପୁଚି ଖେଳରେ, ଆଉ କୁଆଁରୀ ହାତର ପାଚିଲା ମେହେନ୍ଦୀରେ ।

ଗାଁ ଦାଣ୍ଡ ଆମ୍ବ ତୋଟାରେ କଟମଟ ଶବ୍ଦ ଶୁଭିଲେ । ଆଉ ରଜ ଗୀତ କାନରେ ପଡିଲେ । ସମସ୍ତେ ଜାଣିଯାଆନ୍ତି ରଜ ଆସି ସାରିଛି ବୋଲି ରଜ ପୂୂର୍ବରୁ ସଜବାଜ ସହ ସଜେଇ ହୁଅନ୍ତି ପ୍ରତିଟି କୁଆଁରୀ । ପହିଲି ରଜ, ରଜ ସଂକ୍ରାନ୍ତିରେ ସେମାନେ ଦୋଳି ଖେଳନ୍ତି । ଆଉ ରଜରେ ମଉଜ ନିଅନ୍ତି । ଜାଣିଛନ୍ତି, ରଜ ପର୍ବର ତୃତୀୟ ଦିନ ହେଉଛି ଭୂମି ଦହନ ବା ଭୂମିଦାହ ଆଉ ଚତୁର୍ଥ ଦିନ ହେଉଛି ବସୁମତୀ ସ୍ନାନ ।

ରଜପର୍ବ ସହ ଆମ ପ୍ରକୃତି ଆଉ ପରମ୍ପରାର ମଧ୍ୟ ସମ୍ପର୍କ ଅଛି । କୁହାଯାଏ ରଜରେ ମାଟି ଆଉ ଆକାଶର ମିଳନ ହୁଏ । ବର୍ଷାର ପହିଲି ପସରା ମାଟି ଛୁଇଁଲେ, ଓଦା ହୋଇଉଠେ ପୃଥିବୀ ଆଉ ଅ।।ଷାଢର ପ୍ରଥମ ବର୍ଷା ଛୁଆଁରେ ରଜସ୍ୱଳା ହୁଏ ମାଟି । ଯାହାକୁ କି ରଜ ପର୍ବ ସହ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବେ ଗ୍ରହଣ କରାଯାଏ ।

ଫି ବର୍ଷ ରଜ ଆସିଲେ ଘରେ ଜମିଥାଏ ପିଠା ପାନର ଆସର । ଭଳିକି ଭଳି ପିଠା ତିଆରି ହୁଏ । ଆଉ ଗାଁ ଦାଣ୍ଡରେ ଲୁଡୁ, ତାସ୍ ଖେଳ ଜମେ । ଝିଅମାନେ ପୋଡପିଠା ପାନ ଖୁଆଖୁଇ ହେଇ ରଜ ଦୋଳି ଖେଳୁଥିବାବେଳେ, ପୁଅମାନେ ଲୁଡୁ, ତାସ ଆଉ ବାଗୁଡି ଖେଳି ରଜ ପାଳନ୍ତି ।

ରଜ ଦିନମାନଙ୍କରେ ଧରିତ୍ରୀମାଆଙ୍କୁ ସମ୍ମାନ ଦେଇ କେହି ବି ଭୂଇଁ ଉପରେ ଖାଲି ପାଦରେ ଚାଲିନ୍ତିନି । ଆଷାଢର ଛୁଆଁରେ ମାଟି ମାଆ ବି ରଜସ୍ୱଳା ହେଇଥିବାରୁ, ଏହି ଦିନ ତକ ଚଷା ପୁଅ ହଳରୁ ନିବୃତ ରୁହେ । ରଜ ସଜବାଜ, ପହିଲି ରଜ ଆଉ ରଜସଂକ୍ରାନ୍ତି ପରେ । ଭୂମିଦହନ ଆଉ ବସୁମତୀ ସ୍ନାନକୁ ମଧ୍ୟ ରଜ ପର୍ବ ଭିତରେ ଗଣାଯାଇଥାଏ । ଯାହାକି ହେଉଛି ରଜ ପର୍ବର ଅନ୍ତିମ ଦିନ । ଏହି ଦିନକୁ ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ ବା ଶୁଦ୍ଧ ସ୍ନାନ ବୋଲି ବି କୁହାଯାଏ ।

ପ୍ରତିବର୍ଷ ତ ରଜ ଆସେ । ପ୍ରତିବର୍ଷ ତ ଗାଁ ଦାଣ୍ଡରେ ରଜ ଗୀତ ଶୁଭେ । ହେଲେ ଆଜି ବି ରଜର ନାଁ ଶୁଣିଲେ ପୁଲକିତ ହେଇଉଠେ କୁଆଁରୀ ମନ । ତିନି ଦିନ ଧରି ପୁରପଲ୍ଲୀ ହେଇଉଠେ ଚଳଚଞ୍ଚଳ । ଗାଁଠୁ ସହର ସବୁଠି ଦେଖିବାକୁ ମିଳେ ଉତ୍ସବର ମାହୋଲ । ସତରେ ରଜ ଖାଲି ଗୋଟେ ପର୍ବ ନୁହେଁ । ରଜ ହେଉଛି ଗୋଟେ ଆନନ୍ଦର ପର୍ବ, ଉତ୍ସବର ପର୍ବ , ଆମ ଓଡିଆଙ୍କ ଗଣପର୍ବ ।