ଶବ ସହ ଦୋସ୍ତି । ଛୁଇଁଲେନି ପଡୋଶୀ, ଆସିଲେନି ସମ୍ପର୍କୀୟ । କରୋନା ଆକ୍ରାନ୍ତଙ୍କ ଶବଦାହ କଲେ ୩ ସାଙ୍ଗ । ଚିହ୍ନା ହେଉ କି ଅଚିହ୍ନା ମଶାଣୀ ଘାଟରେ ଶବର ଶେଷ ଠିକଣା ସାଜିଛନ୍ତି, ଶେଷ ସମ୍ମାନ ଦେଇ ଦାହ ସଂସ୍କାର କରୁଛନ୍ତି ।

1,233

କନକ ବ୍ୟୁରୋ: ରାଜଦ୍ୱାରେ ଶ୍ମଶାନେ ଚ ଯ ତିଷ୍ଠତି ସଃ ବାନ୍ଧବା… ଏକଥାକୁ କେବଳ କଥାରେ ନୁହେଁ ବରଂ ସତରେ ପ୍ରମାଣିତ କରିଛନ୍ତି ୩ ଜଣ ବନ୍ଧୁ । କେବଳ ଆତ୍ମୀୟସ୍ୱଜନ ନୁହେଁ ଅଜଣା ବ୍ୟକ୍ତିଙ୍କ ଶବ ସଂସ୍କାର କରି ମଣିଷ ପଣିଆର ପରିଚୟ ଦିଅନ୍ତି ମଶାଣି ଘାଟର ୩ ସାଙ୍ଗ ସିଦ୍ଧାନ୍ତ, ମନୋଜ ଓ ଶିଶିର । କରୋନା ପାଇଁ ସମାଜରୁ ଯେଉଁଠି ସନ୍ଦେହ ସରୁନି, ମଲା ପରେ ମଣିଷ ଯେଉଁଠି ପାଖ ମାଡୁନି ସେଇଠି ଜଣେ ଆକ୍ରାନ୍ତଙ୍କ ଶବ ସକ୍ରାର କରି ସନ୍ଦେହ ଭିତରେ ସୁନ୍ଦରଗଡରୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଶବ ସହ ଦୋସ୍ତି କରିଥିବା ଏ ୩ ସାଙ୍ଗ ।

ସୁନ୍ଦରଗଡ ପତ୍ରାପଡା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ଆଉ ମୃତ୍ୟୁ ପରେ ବନ୍ଧୁ ପରିଜନ କି ସାହିପଡିଶା ତାଙ୍କ ପାଖ ମାଡିନଥିଲେ । ବାପାଙ୍କ ଶବକୁ ଏକା ଏକା କେମିତି କରିବ ସଂସ୍କାର । ମଶାଣୀରେ ମନମାରି ବସିଥିଲା ପୁଅ । ଆଉ ଠିକ ଏହି ସମୟରେ ଦେବଦୂତ ସାଜି ପହଞ୍ଚିଥିଲେ ସିଦ୍ଧାନ୍ତ ପଣ୍ଡା । ଅସହାୟ ପୁଅ ଆଖିରୁ ଲୁହ ପୋଛି ବାପାଙ୍କ ଅନ୍ତିମ ସଂସ୍କାରରେ ସହଯୋଗ କରିଥିଲେ ଏହି ୩ ବନ୍ଧୁ । ପୌରପାଳିକା ସହାୟତାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲେ ହେଁ ୩ ବନ୍ଧୁ ନେଇଥିଲେ ସଂସ୍କାରର ଗୁରୁ ଦାୟିତ୍ୱ ।

ତେବେ କରୋନା କାଳରେ ଆକ୍ରାନ୍ତଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିବା ଏ ୩ ସାଙ୍ଗଙ୍କ ପାଇଁ ଶବ ପୋଡିବା ନୂଆ କଥା ନୁହେଁ । କାରଣ ଦୀର୍ଘ ୧୫ରୁ ୨୦ ବର୍ଷ ହେବ ଶବଙ୍କ ସାଙ୍ଗ ପାଲଟିଛନ୍ତି ଏମାନେ । ୩ ସାଙ୍ଗ ମିଶି ପ୍ରାୟ ୫୦୦ରୁ ଅଧିକ ଶବ ସକ୍ରାର କରିସାରିଲେଣି । ବିଶେଷ କରି ରାସ୍ତାଘାଟରେ ପଡିଥିବା, ଡାକ୍ତରଖାନାରେ ପରିବାର ଲୋକ ଛାଡି ପଳାଉଥିବା ଅଜଣା ଶବକୁ ଆପଣାଇ ନିଅନ୍ତି ଏମାନେ । ଘୃଣା ନୁହେଁ ବରଂ ଭଗବାନଙ୍କ କର୍ତ୍ତବ୍ୟ ଭାବି ଅଚିହ୍ନା ଶବର ସକ୍ରାର କରନ୍ତି ଏମାନେ । ମଣିଷ ମଲା ପରେ ତାର ଦାହ ସଂସ୍କାର କରି ଶବକୁ ପ୍ରକୃତ ସମ୍ମାନ ଦେଉଥିବା ଏ ୩ ବନ୍ଧୁ ସଂକ୍ରମଣ ସନ୍ଦେହ ଭିତରେ ମଣିଷପଣିଆର ବଡ ଉଦାହରଣ ସାଜି କାଳକାଳକୁ ମନେରହିବେ ।