କନକ ବ୍ୟୁରୋ : ରାଜା ଆଚାର୍ଯ୍ୟଙ୍କୁ କାଳକୋଠରୀରୁ ବାହାରିବାକୁ ଦେବନାହିଁ କମିଶନରେଟ ପୁଲିସ୍ । ବିରଂଚି ହତ୍ୟା ମାମଲାରେ ଜାମିନ ପରେ ପୁରୁଣା ମାମଲାରେ କେସ ଡାଏରୀ କରିଛି ପୁଲିସ୍ । ଅପହରଣ ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା ଲାଗିଇ ଜାମିନକୁ ବିରୋଧ କରିଛି । ତେଣୁ ଏହି କୁଖ୍ୟାତ ଅପରାଧୀଙ୍କୁ ଜେଲର ଚାରିକାନ୍ଥରୁ ବାହାରିବା ଏତେ ସହଜ ହେବ ନାହିଁ ।

Advertisment

ଯେଉଁ ଦୁଇଟି ମାମଲାରେ କେସ୍ ଡାଏରୀ କରିଛି ପୁଲିସ୍ ସେଗୁଡିକ ହେଲା

• ୨୦୧୦ରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲା
• ୨୦୦୯ରେ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ମାମଲା

ଭୁୁବନେଶ୍ୱର ଏସଡିଜେଏମ କୋର୍ଟରେ ଏହି ଦୁଇଟି ମାମଲାର ଆଜି ଶୁଣାଣି ହୋଇଥିବାବେଳେ ରାୟ ସଂରକ୍ଷିତ ରଖିଛନ୍ତି ବିଚାରପତି । ତେବେ ରାଜା ଆଚାର୍ଯ୍ୟଙ୍କ ବିରୋଧରେ ଅପହରଣ ଓ ହତ୍ୟା ଉଦ୍ୟମ ଭଳି ଦଫା ଲାଗିଥିବାରୁ ତାଙ୍କୁ ଜାମିନ ମିଳିବା ଅସମ୍ଭବ ବୋଲି କହିଛି କମିଶନରେଟ ପୁଲିସ୍ ।

ସେପଟେ ବିରଂଚି ଦାସ ହତ୍ୟା ମାମଲାରେ କିନ୍ତୁ ରାଜାଙ୍କୁ ସୁପିମକୋର୍ଟ ଜାମିନ ପ୍ରଦାନ କରିବା ପରେ ଭୟଭିତ ବିରଂଚିଙ୍କ ପତ୍ନୀ । ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସକୁ ସୁରକ୍ଷା ମାଗିଛନ୍ତି ଗୀତାଞ୍ଜଳି ପଣ୍ଡା । ଆଉ ଗୀତାଞ୍ଜଳିଙ୍କ ଅନୁରୋଧ ଅମୁସାରେ ତାଙ୍କୁ ୨ଜଣ ସଶସ୍ତ୍ର କନେଷ୍ଟବଳ ଓ ଜଣେ ହାବିଲଦାରଙ୍କ ସମେତ ୨ ପିଏସଓ ଯୋଗାଇ ଦିଆଯାଇଛି ।

ବିରଂଚି ହତ୍ୟା ମାମଲାରେ କଡା ସର୍ତ ଭିତରେ ରାଜାଙ୍କୁ ମିଳିଛି ଜାମିନ । ହେଲେ ଏହି କୁଖ୍ୟାତ ଅପରାଧୀଙ୍କୁ ଜେଲର ଚାରିକାନ୍ଥରୁ ବାହାରିବାକୁ ଦେବାପାଇଁ ଚାହୁଁନାହିଁ କମିଶନରେଟ ପୁଲିସ୍ । ଆଉ ଲମ୍ବା ସମୟ ଧରି ନ୍ୟାୟିକ ପ୍ରକ୍ରିୟାରେ ଛନ୍ଦିବାକୁ ପୁଣି ଦୁଇଟି ମାମଲାରେ କରିଛି କେସ ଡାଏରୀ ।