କନକ ବ୍ୟୁରୋ : ଲକ୍ଷ୍ନୌ ଆଲିଗଞ୍ଜ ସ୍ଥିତ ଆରଏସଏସ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ଦେଇଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ । ଲକ୍ଷ୍ନୌ ପୋଲିସ ଉକ୍ତ ଯୁବକଙ୍କୁ ତାମିଲନାଡୁରୁ ଗିରଫ କରିଛି । ଅଭିଯୁକ୍ତ ରାଜ ମହମ୍ମଦ ହ୍ୱାଟସଆପ ମାଧ୍ୟମରେ ଆରଏସଏସର ୬ଟି କାର୍ଯ୍ୟାଳୟକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିଲେ । ଆଉ ଏହି ଧମକ ମିଳିବା ପରେ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ଆରଏସଏସର ସଦସ୍ୟ ନୀଳକଣ୍ଠ ତିୱାରୀ ନିଜ ଅଭିଯୋଗରେ କହିଛନ୍ତି ଯେ, ହ୍ୱାଟସଆପରେ ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇଦେବାକୁ ମେସେଜ ଆସିଥିଲା । ଯେଉଁଥିରେ ଲକ୍ଷ୍ନୌ, ଗୋଣ୍ଡା, ନୱାବଗଞ୍ଜ ଓ କର୍ଣ୍ଣାଟକର ୪ଟି ସ୍ଥାନରେ ଥିବା ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇବାକୁ ଧମକ ଦେଇଥିଲେ । ପ୍ରଥମେ ବିଦେଶୀ ନମ୍ବରରେ ଏହି ହ୍ୱାଟସଆପ୍ ମେସେଜ ଆସିଥିଲା । ହିନ୍ଦୀ, ଇଂରାଜୀ ଓ କନ୍ନଡ ଭାଷାରେ ଏହି ଧମକ ମେସେଜ ଆସିଥିଲା । ରବିବାର ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ମିଳିଥିଲା ।
ଗିରଫ ହୋଇଥିବା ଯୁବକଙ୍କୁ ଏବେ ପୋଲିସ ପଚରାଉଚରା ଆରମ୍ଭ କରିଛି । ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ଏଟିଏସ ପକ୍ଷରୁ ପଚରାଉଚରାକୁ ଜୋରଦାର କରାଯାଇଛି । ଏଟିଏସ ପକ୍ଷରୁ ହିଁ ଅଭିଯୁକ୍ତର ଲୋକେସନ ଟ୍ରାକ କରିବା ପରେ ପୋଲିସ ଧରିଥିଲା ।