ବାପା ରାଜମିସ୍ତ୍ରୀ, ଝିଅ ମାଟ୍ରିକରେ ପାଇଲା A1 । ବାପାଙ୍କ ଇଟା, ସିମେଣ୍ଟ ସହ ସଙ୍ଘର୍ଷର ମୂଲ୍ୟ ଦେଇଦେଲା ଗରିବ ଝିଅ… କହିଲା ମୁଁ ଡାକ୍ତର ହେବି ବାପାଙ୍କ ଦୁଃଖ ଦୂରେଇବି…

242

କନକ ବ୍ୟୁରୋ: ଏଇ ଭଙ୍ଗା ଘରେ ପଢି ବାପାଙ୍କ କଷ୍ଟର ମୂଲ୍ୟ ଦେଇଛି ଝିଅ । ବାପାଙ୍କ ଝାଳ, ବାପାଙ୍କ ପରିଶ୍ରମର ଫଳ ଫଳାଇଛି । ଇଟା, ବାଲି ସହ ବାପା ସିନା କସରତ କରୁଥିଲେ, ଏପଟେ କିନ୍ତୁ ବାପାଙ୍କ ବହି ବସ୍ତାନୀ ସହ କସରତ କରୁଥିଲା ଝିଅ । ପାଠ ପଢିବ ଭଲ ମଣିଷ ହେବ ଆଉ ବାପାଙ୍କ ଦୁଃଖ ଦୂର କରିବ । କାରଣ ସେ ଦେଖିଛି ସିମେଣ୍ଟ କାମ କରି ବାପାଙ୍କ ଗୋଡ ଖାଇଯିବାର । ଭୋକ ଉପାସରେ ବାପାମାଆ ସେମାନଙ୍କୁ ଖୁଆଇବାର । ପିଲାଙ୍କୁ ପାଠ ପଢାଇବାକୁ ବାପାଙ୍କ ହାଡଭଙ୍ଗା ପରିଶ୍ରମ । ସେଇଥିପାଇଁ ତ ସେ ବାପାଙ୍କୁ ତାଙ୍କ କଷ୍ଟର ମୂଲ୍ୟଦେବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଥିଲା । ଆଉ ଶେଷରେ ସେ ସଫଳ ହେଲା । ଅଭାବ, ଅନଟନ ଭିତରେ ଥାଇ ବି ୮୦ ପ୍ରତିଶତ ରଖି ସେ ମାଟ୍ରିକ ପାସ୍ କଲା ।

ସମ୍ବଲପୁର ହୀରାକୁଦ ସହରରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ପଢନ୍ତି ସ୍ମୃତିଶିଖା ବେହେରା । ସେ ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ଯେଉଁଥିପାଇଁ ସେ ନିଜ ବାପାମାଆଙ୍କ ସହ ସ୍କୁଲ ପାଇଁ ଆଣିଦେଇଛନ୍ତି ଗର୍ବ ଆଉ ଗୌରବ । ହଜାରେ ଅଭାବ ଅନଟନ ଭିତରେ ବି ହାରିଯାଇ ନାହାନ୍ତି କି ପଢାରେ ହେଳା କରି ନାହାନ୍ତି । ବାପାଙ୍କ କଷ୍ଟକୁ ବୁଝି ସ୍ମୃତିଶିଖା ତାଙ୍କ କର୍ମ କରିଚାଲିଥିଲେ । ଘରର କାମ ସହ ନିଜ ପଢାକୁ ଗୁରୁତ୍ୱ ଦେଇଥିବା ଗରିବ ଘରର ଝିଅ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି ।

ଝିଅ ଅଧିକ ନମ୍ବର ରଖି ପାସ୍ କରିଥିବାରୁ ଘରେ ଖୁସି କହିଲେ ନସରେ । ଶିକ୍ଷକ ମାନେ ବି ବେଶ ଖୁସି ଅଛନ୍ତି । ଆଉ ସ୍ମୃତିଶିଖାକୁ ଶୁଭେଚ୍ଛା ଜଣାଇବାକୁ ଘରକୁ ଧାଇଁ ଆସିଛନ୍ତି । ଦାରିଦ୍ରତାର ଗାର ଭିତରେ ରହି ଗରିବ ଝିଅ ଏତେ ସୁନାମ ଆଣିଥିବାରୁ ଗବ ର୍ କରିଛନ୍ତି ଶିକ୍ଷକ ।
ସେପଟେ ସ୍ମୃତିଙ୍କ ବାପା ଜଣେ ରାଜମିସ୍ତ୍ରୀ । ଦିନକୁ ୬୦୦ ଟଙ୍କା ରୋଜଗାର କରନ୍ତି । କରୋନା ପାଇଁ ଏବେ କାମଧନ୍ଦା ବି ସେମିତି ମିଳୁନି । ତେଣୁ ସେତିକି ରୋଜଗାରରେ ୪ ଝିଅଙ୍କ ସହ ସ୍ୱାମୀ ସ୍ତ୍ରୀ ଦୁହେଁ ଚଳନ୍ତି । ପେଟକୁ ଖାଇବା ସହ ପିଲାଙ୍କ ପାଠ ବାପାଙ୍କ ଉପରେ ବୋଝ ହେଉଛି । ଏ ସବୁ ଜାଣି ସ୍ମୃତିଶିଖା ପାଠ ପଢୁଥିଲେ । ଆଉ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ କସରତ କରୁଥିଲେ । ମାଟ୍ରିକରେ ଭଲ ନମ୍ବର ରଖିଥିବା ସ୍ମୃତି ବଡ ହେଲେ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି ।