ଭୋକ ଉପାସରେ ଦିନ କାଟୁଥିଲେ ରାଜ କୁମାର ,ସୁଟିଂ ସେଟରେ ଘଣ୍ଟା ଘଣ୍ଟା ଗୋଡ ଭାଙ୍ଗି ଛିଡା ହେଉଥିଲେ

204

କନକ ବ୍ୟୁରୋ: ଆଜିକା ଦିନରେ ଆଗ ଧାଡିର କଳାକାର ରାଜ କୁମାର ରାଓ । ଗୁରଗାଓଁର ୩୬ ବର୍ଷିୟ ରାଜ କୁମାର ବଲିଉଡରେ ଜାଗା ବନାଇବା ପାଇଁ ଅନେକ କଷ୍ଟ ସହିଛନ୍ତି । ବଲିଉଡରେ ତାଙ୍କର କେହି ପରିଚିତ ନଥିଲେ । ଆକ୍ଟିଂ ଲକ୍ଷ୍ୟରେ ମୁମ୍ବାଇ ଆସିଥିବା ରାଜ କୁମାରଙ୍କୁ କୌଣସି ଛୋଟ ବିଜ୍ଞାପନ ସୁଟିଂ ପାଇଁ ମଧ୍ୟ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡୁଥିଲା । ମାସକୁ ୮ରୁ ୧୦ ଟଙ୍କା ରୋଜଗାର କରିବା ମଧ୍ୟ ତାଙ୍କ ପାଇଁ କାଠିକର ପାଠ ଥିଲା । ଏପରି ପ୍ରତିକୂଳ ପରିସ୍ଥିତି ଥିଲା ଯେ ମୁମ୍ବାଇ ଭଳି ଚାକଚକ୍ୟ ସହରରେ ମିଲଟିଏ ଖାଇବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହେଉଥିଲା । ଏଠାରେ ଥିବା କିଛି ଚିହ୍ନା ଲୋକଙ୍କୁ ଫୋନ କରି ତାଙ୍କ ଘରେ ନିଜ ପାଇଁ ଖାଇବାର ଟିକେ ବନ୍ଦୋବସ୍ତ କରିବାକୁ ଅନୁରୋଧ କରୁଥିଲେ । ପେଟରେ ଭୋକ ଥିବାରୁ ମୁହଁର ଲାଜକୁ ସେ ଭୁଲିଯାଉଥିଲେ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି ।ହେଲେ ତାଙ୍କ କଷ୍ଟ ଓ ପରିଶ୍ରମର ପାଉଣା ଦେଇଛନ୍ତି ଭଗବାନ୍ । ଆଜି ସେ ନିଜ ଦମରେ ଆଗ ଧାଡିର ଜଣେ ଲୋକପ୍ରିୟ କଳାକାର । ଏଥିପାଇଁ ସେ ଶାହାରୁଖ ଖାନଙ୍କୁ ନିଜ ଆଦର୍ଶ ବୋଲି ଗ୍ରହଣ କରିଛନ୍ତି । ଅଭିନୟର ପ୍ରାରମ୍ଭିକ ଦିନରେ ଶାହାରୁଖଙ୍କ ଅସହାୟତା ଓ ପ୍ରତିକୂଳ ସ୍ଥିତିକୁ ସେ ମନେପକାଇ ମୁମ୍ବାଇରେ ତିଷ୍ଠି ରହି ପରିଶ୍ରମ କରିବାକୁ ପଣ କରିଥିବା କହିଛନ୍ତି । ପ୍ରକୃତରେ ଶାହାରୁଖ କିଙ୍ଗ ଖାନ୍ ବୋଲି ତାଙ୍କର ମତ । ଅଭିନୟର ଆରମ୍ଭ ସମୟରେ ଏକ କାର୍ଯ୍ୟକ୍ରମରେ ଶାହାରୁଖଙ୍କ ସହ ତାଙ୍କ ଭେଟ ହୋଇଥିଲା । କିଙ୍ଗ ଖାନ୍ ତାଙ୍କ ଅଭିନୟର ଖୁବ ପ୍ରଶଂସା କରିଥିଲେ । ଆଉ ଏ ଖରାପ ସମୟ ଦିନେ ନିଶ୍ଚୟ ଦୂରେଇ ଭଲ ସମୟ ଆସିବ ବୋଲି କହି ଶାହାରୁଖ୍ ତାଙ୍କୁ ଆଶ୍ୱାସନା ଦେଇଥିଲେ । ଆଜି ରାଜ କୁମାରଙ୍କ ପାଖରେ ପ୍ରସିଦ୍ଧି , ଧନ ସବୁ ଅଛି । ହେଲେ ,ସବୁ ଭିତରେ ବି ସେ ନିଜ ଅସମୟର ସାଥୀଙ୍କୁ ଭୁଲିନାହାଁନ୍ତି । ଅନେକ ସମୟରେ ତାଙ୍କୁ ଫୋନ କରି ନିଜ ଘରକୁ ଡାକନ୍ତି । ଆଉ ସାମାନ୍ୟ ଫୁରସତ୍ ପାଇଲେ ସେମାନଙ୍କ ସହ ସମୟ ବିତାଇବାକୁ ଭଲ ପାଆନ୍ତି ବୋଲି ପ୍ରକାଶ କରିଛନ୍ତି ରାଜ କୁମାର ରାଓ ।

 

୨୦୧୩ରେ କାଇ ପୋ ଚେ ଫିଲ୍ମରେ ଅଭିନୟ ପାଇଁ ତାଙ୍କୁ ବେଷ୍ଟ ଫିଲ୍ମ ଫେୟାର ଆୱାର୍ଡ ମିଳିବା ସହ ସହିଦ ଫିଲ୍ମରେ ସହିଦ୍ ଆଜମି ଚରିତ୍ର ପାଇଁ ତାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଥିଲା ।