ବଦଳିଲା ମୟୂରଭଞ୍ଜ ରାଜନୀତି ! ପଦ୍ମ ଛାଡି ଶଙ୍ଖ ଧରିଲେ ବିଜେପି ଟାଣୁଆ ନେତା ରାଜକିଶୋର ଦାସ ।

610

କନକ ବ୍ୟୁରୋ : ବିଜେଡିରେ ମିଶିଲେ ବିଜେପିର ହେଭିୱେଟ୍ ନେତା । ଶଙ୍ଖ ଧରିଲେ ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ରାଜକିଶୋର ଦାସ । ଆଜି ସନ୍ଧ୍ୟାରେ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ରାଜକିଶୋର । ବିଜେପିରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ । ମୟୂରଭଞ୍ଜ ରାଜନୀତିରେ ବିଜେପିର ଜଣେ ବଡ ଚେହେରା ଥିଲେ ରାଜକିଶୋର ।

ମୟୂରଭଞ୍ଜର ଏହି ଟାଣୁଆ ନେତା ବିଜେପି ସହ ଦୀର୍ଘ ୪୦ ବର୍ଷ ଧରି ରହି ଆସିଥିଲେ । ଏପରିକି ମୟୂରଭଞ୍ଜରେ ବିଜେପିର ମଙ୍ଗ ଧରି ଆସୁଥିଲେ ରାଜକିଶୋର । ତେବେ ଚଳିତ ନିର୍ବାଚନରେ ମୋରଡା ଆସନରେ ପ୍ରାର୍ଥୀ ହେବାକୁ ମନ ବଳାଇଥିବା ରାଜଶେଖରଙ୍କୁ ଦଳ ପକ୍ଷରୁ ସେଭଳି କୌଣସି ସଂକେତ ମିଳିନଥିଲା । ଫଳରେ ଟିକେଟ ଘୋଷଣା ପୂର୍ବରୁ ଦୀର୍ଘ ୪୦ ବର୍ଷର ସର୍ମ୍ପକ ଛିନ୍ନ କରି ବିଜେପିକୁ ବାଏ ବାଏ କରିଥିଲେ ରାଜକିଶୋର । ଗତ ୨୩ ତାରିଖରେ ବିଜେପିର ରାଜ୍ୟ ଉପସଭାପତି ପଦ ସହ ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ । ନିଜର ଇସ୍ତଫା ପତ୍ର ସେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇବା ସହ ତୁରନ୍ତ ଏହାକୁ ଗ୍ରହଣ କରିବାକୁ କହିଥିଲେ ।