ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା। ୪ ତାରିଖରୁ ସମଗ୍ର ରାଜ୍ୟରେ ବର୍ଷା ସମ୍ଭାବନା

4,360

କନକ ବ୍ୟୁରୋ: ମୌସୁମୀ ଆସିସାରିଛି, ମଝିରେ ମଝିରେ ବର୍ଷା ବି ହେଉଛି, ହେଲେ କମିନାହିଁ ଗୁଳୁଗୁଳି । ଅବଶ୍ୟ ପୂର୍ବ ଅପେକ୍ଷା ଏହି ଖରା ଓ ଗୁଳୁଗୁଳିର ପ୍ରଭାବ କମିଛି । ହେଲେ ଏହା ପ୍ରଭାବରେ ସାଧାରଣ ଜନଜୀବନ ହନ୍ତସନ୍ତ ହେଉଛି । ଏହି ସମୟରେ ରାଜ୍ୟରେ ବର୍ଷା ବଢ଼ିବ ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ବିସ୍ତୃତି । ୪ ତାରିଖରୁ ସମଗ୍ର ରାଜ୍ୟର ବର୍ଷାର ବିସ୍ତୃତି ବଢ଼ିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସୋମବାର ଅର୍ଥାତ୍ ୩ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ମଙ୍ଗଳବାର ଠାରୁ ରାଜ୍ୟରେ ବର୍ଷାର ବସ୍ତୃତି ବଢ଼ିବ ଓ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ସାରା ଦେଶକୁ ମୌସୁମୀ ଛୁଇଁଛି । ରାଜ୍ୟରେ ମୌସୁମୀ ଦୁର୍ବଳ ଥିଲା ବେଳେ ଏବେ ସ୍ୱାଭାବିକ ସ୍ଥିତିକୁ ଆସୁଛି । ଗତ ୨୪ ଘଂଟାରେ ସମଗ୍ର ରାଜ୍ୟରେ ସ୍ୱାଭାବିକ ଠାରୁ ୮୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ସେହିପରି ଜୁନ୍ ଆରମ୍ଭରୁ ଏପର୍ଯ୍ୟନ୍ତ ୨୬ ପ୍ରତିଶତ ନିଅଂଟିଆ ବର୍ଷା ହୋଇଛି । ଅନ୍ୟପକ୍ଷରେ ମୌସୁମୀ ଦୁର୍ବଳ ହେତୁ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୭୦ରୁ ଅଧିକ ରହୁଛି । ସେହିପରି ସମଗ୍ର ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି ।

ଦୁର୍ବଳ ମୌସୁମୀ ପ୍ରଭାବରେ କମ୍ ବର୍ଷା ଯୋଗୁଁ ରାଜ୍ୟରେ ଚାଷ ପ୍ରଭାବିତ ହୋଇଛି । ତେଣୁ ବର୍ଷା ବଢ଼ିବାର ଏହି ଖବର ଚାଷୀ କୂଳକୁ ଆଶ୍ୱସ୍ତ କରିବ ।