କନକ ବ୍ୟୁରୋ: ପାଣି... ପାଣି... ପାଣି... ଚାରିଆଡେ ପାଣି... ଘର ଭିତରେ ପାଣି, ଘର ବାହାରେ ପାଣି । ରାସ୍ତାରେ ପାଣି, ବ୍ରିଜ ତଳେ ପାଣି, ବ୍ରିଜ ଉପରେ ବି ପାଣି... ସ୍ଥିତି ଏମିତି ହେଲା ରାସ୍ତାରେ ଗାଡି ଅଟକିଗଲା । ସହର ସମୁଦ୍ର ପାଲଟିଗଲା, ରାସ୍ତା ନଈ ପରି ଦିଶିଲା, ବେକେ ପାଣିରେ ବୋଟ୍ ଚାଲିଲା, ଜନଜୀବନ ଜାମ୍ ହୋଇଗଲା । ପ୍ରଳୟଙ୍କାରୀ ପାଣି ପାଟିରୁ ଜୀବନ ବଞ୍ଚାଇ ଘରକୁ ଫେରିବା ଏକପ୍ରକାର ମୁସକିଲ୍ ହୋଇପଡିଲା... ମେଘର ମହାତାଣ୍ଡବ ଆଉ ଜଳାର୍ଣ୍ଣବ ସହରକୁ ଦେଖି ଏମିତି ଲାଗୁଥିଲା ଭୁବନେଶ୍ୱରରେ ରହିବା ଭୁଲ ହୋଇଗଲା... ବରଂ ମୋ ଗାଁ ୟାଠୁ ଭାରି ଭଲ ଥିଲା...
ଆକାଶରେ ମେଘ ଆସିଲେ ରାଜଧାନୀବାସୀଙ୍କ କିଛି ଫରକ ପଡେନି । ମିଡିଆରେ ପାଣିପାଗ ଖବର, ବର୍ଷା- ବାତ୍ୟାକୁ ନେଇ ବ୍ରେକିଂ ହୁଏତ ସହରିଆଙ୍କ ଡ୍ରଇଂରୁମର କପେ କଫି ସହ ବିସ୍କୁଟ ଭଳି । କିନ୍ତୁ ବନ୍ୟା-ବାତ୍ୟାର ଖବର ମିଳିଲେ ଗାଁଲୋକ ଡରନ୍ତି ହେଲେ ଭୁବନେଶ୍ୱରବାସୀଙ୍କର ଚିନ୍ତା ନଥାଏ । ବଡ ବଡ କୋଠା ଘରେ ବାବୁମାନେ ରୁହନ୍ତି ବୋଲି, ଭାବନ୍ତି- ହଁ ମ... ଆମେ କଉ ଭାସି ଯାଉଛୁ ନା ବୁଡି ଯାଉଛୁ... ଆମର କଣ ଯାଉଛି...
କିନ୍ତୁ ସେଦିନ... ଅୟସ ଆରାମର ଜୀବନକୁ କେଇ ଘଣ୍ଟା ପାଇଁ ଅଟକାଇ ଦେଇଥିଲା ଅବିଶ୍ରାନ୍ତ ବର୍ଷା । ଲଘୁଚାପ ପାଇଁ ସକାଳ ପହରୁ ଝିପଝିପ, ଦିନସାରା ଟୁପୁରୁ ଟାପୁରୁ, ଆଉ ଅପରାହ୍ନରୁ ଘଡଘଡି ସହ ପ୍ରବଳ ବର୍ଷିଥିଲା । ନିତିଦିନିଆ ଜୀବନକୁ ନେଇ ଧାଉଁଥିବା ରାଜଧାନୀ ଆକାଶରେ ହଠାତ ଅନ୍ଧାର ଘୋଟି ଆସିଥିଲା । ଅଚାନକ ଆକାଶରୁ କଳସୀରେ ଢାଳିବା ପରି ବର୍ଷା ହୋଇଥିଲା ଆଉ ପୂରା ସହରରେ ବର୍ଷା ଲଗାଇଥିଲା ଅଘୋଷିତ କର୍ଫ୍ୟୁ...
ସୋମବାର ସାଙ୍ଘାତିକ ବର୍ଷା ପରେ ଦୁଃଖ ବଢିଥିଲା, ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଥିଲା । ଲଗାଣ ବର୍ଷା ସହରିଆଙ୍କ ଆଖିରେ ଲୁହ ଦେଇଥିଲା, ଆଣ୍ଠୁଏ ଆଣ୍ଠୁଏ ପାଣିରେ ଆଖିର ନିଦ ନିଖୋଜ ହୋଇଥିଲା । ପାଣି ପାଇଁ କାହା ଘରେ ଚୁଲି ଜଳିନଥିଲା, କିଏ ସାରା ରାତି ଉପାସ ଶୋଇଥିଲା । ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୋକ ତ ରାତି ତମାମ ଚେଇଁଥିଲେ । ଘରେ ପାଣି ପଶିଥିବାରୁ ଜୀବନଜୀବୀକାକୁ ଖଟ ଉପରକୁ ଟେକି ବସିଥିଲେ ।
ଏପଟେ ଭାସୁଥିବା ଭୁବନେଶ୍ୱରକୁ ନେଇ ସୋସିଆଲ ମିଡିଆରେ କଟାକ୍ଷ, ଗାଁରୁ ଆତ୍ମୀୟସ୍ୱଜନଙ୍କ ଫୋନ, ବୁଡା ସହରକୁ ନେଇ ଗାଁ ସାଙ୍ଗମାନଙ୍କ ଥଟାମଜା କିଛିକ୍ଷଣ ଭାବିବାକୁ ବାଧ୍ୟ କରୁଥିଲା-
ସତରେ କଣ ଭୁବନେଶ୍ୱରରେ ରହିବା ଭୁଲ ହୋଇଗଲା ?
ସହରର ସଂଜ୍ଞା କଣ ଗୋଟେ ଜଳମଗ୍ନ ଇଲାକା?
ସ୍ମାର୍ଟସିଟି କହିଲେ ଆମେ କଣ ଭାସୁଥିବା ଭୁବନେଶ୍ୱରକୁ ବୁଝିବା?
ବାସ୍ତବ ଚିତ୍ରକୁ ଦେଖି ଆପଣ କଣ କହିବେ- ସହର ଭଲ ନା ଗାଁ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/BBSR-RAIN.jpg)