କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାର ଚାଷୀଙ୍କ ପାଇଁ କାଳ ସାଜି ଦୁଃଖ ଦେଇଯାଇଛି କୁଆପଥର ବର୍ଷା । କୁଆ ପଥର ବର୍ଷାରେ ନବରଙ୍ଗପୁର ଜିଲ୍ଲାରେ ନଷ୍ଟ ହୋଇଯାଇଛି ହେକ୍ଟର ହେକ୍ଟର ମକା ଓ ପନିପରିବା ଚାଷ । ସେପଟେ ମାଲକାନଗିରିରେ ଘରଦ୍ୱାର ଉଡାଇ ନେଇଛି ଅଦିନିଆ ଘୁର୍ଣ୍ଣିଝଡ । ଏମଭି ୪ ଗାଁର ମୀରୁ ମାର୍ଡି ନିଜର ଟିଣ ଛପର ଘରେ ବର୍ଷକର ଖାଇବା ପାଇଁ ଧାନ ରଖିଥିଲେ । ଯାହାକୁ ଭିଜାଇ ଦେଇଛି ବର୍ଷା । ସେହିଭଳି ସୁଶିଲ ହାଁସଦାଙ୍କ ଘର ବି ଭାଙ୍ଗି ଯାଇଥିବା ବେଳେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଗାଁ ଗାଁ ବୁଲି କ୍ଷୟକ୍ଷତି ଆକଳନ କରୁଛନ୍ତି ।
ଅଦିନିଆ ବର୍ଷା ଭାଙ୍ଗି ଦେଇଛି ମାଲକାନଗିରି ଚାଷୀଙ୍କ ସ୍ୱପ୍ନ । ବର୍ଷାରେ ଚାଷୀଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ନଷ୍ଟ ହୋଇଯାଇଛି ଫସଲ । ବୁଧବାର ରାତିରେ ମାଲକାନାଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ ବର୍ଷା ପ୍ରଭାବରେ ଘରଦ୍ୱାର ଭାଙ୍ଗି ଯାଇଛି । ବିଶେଷ କରି ମାଲକାନଗିରି ତହସିଲ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏମଭି-୪ ଗାଁରେ ଅନେକ ଘର ଦ୍ୱାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘର ଉପରୁ ଦସ୍ତା ଆଜବେଷ୍ଟ ଉଡିଯାଇଥିବା ବେଳେ ଘରେ ଥିବା ଅମଳ ଧାନ ଚାଉଳ ସବୁ ବର୍ଷାରେ ଭିଜିଯାଇଛି । ଖାଦ୍ୟ ଓ ବାସ ଦୁଇଟି ଯାକ ଓଦା ହୋଇଯିବା ପରେ ଲୋକେ ବେସାହାରା ହୋଇଯାଇଛନ୍ତି ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ କୁଆପଥର ବର୍ଷା ମାଡ଼ରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ଉଜୁଡା କ୍ଷେତ ଭଳି, ଉଜୁଡି ଯାଇଛି ଚାଷୀଙ୍କ ସ୍ୱପ୍ନ । ଏବେ ସାହୁକର ଋଣ ସୁଝିବେ କେମିତି ? ପରିବାର ଚଳିବ କେମିତି ? ସେଇ ଚିନ୍ତା ଘାରିଛି । ରବି ଋତୁରେ ନବରଙ୍ଗପୁର ଜିଲ୍ଲାରେ ଶହଶହ ହେକ୍ଟର ଜମିରେ ମକା ଚାଷ ହୋଇଛି । ଏବେ କେଉଁଠି ଗଛ କଅଁଳ ଅଛି, ଆଉ କେଉଁଠି ଫୁଲ ଧରୁଛି । ଏତିକି ବେଳେ କୁଆପଥର ବର୍ଷା ସବୁକିଛି ଉଜାଡି ଦେଇଛି । ଅନେକ ସ୍ଥାନରେ ମକା ଗଛ ସମ୍ପୂର୍ଣ୍ଣ ରୂପେ ଶୋଇ ପଡିଥିବା ଦେଖାଯାଇଛି । କୁଆପଥର ବର୍ଷା ଜନିତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ଉମରକୋଟ ମଣ୍ଡଳ କୃଷି ଅଧିକାରୀ କହଛନ୍ତି ।