ମାୟାନଗରୀ ମୁମ୍ବାଇରେ ବର୍ଷା ବିଭୀଷିକା: ବିଭିନ୍ନ ସ୍ଥାନରେ କାନ୍ଥ ଭୁଷୁଡି ୩୮ ମୃତ, ଶତାଧିକ ଆହତ

୨ଶହରୁ ଅଧିକ ବିମାନ ଉଡାଣ ରଦ୍ଦ, ଆଜି ସ୍ଥିତିରେ ସାମାନ୍ୟ ସୁଧାର

113

କନକ ବ୍ୟୁରୋ: ବର୍ଷାରେ ଭିଜିଲା ଅଧା ମୁମ୍ୱାଇ । ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଏବେ ଦେଖାଦେଇଛି ବର୍ଷା ବିଭୀଷିକା । ବିଭିନ୍ନ ସ୍ଥାନରେ କାନ୍ଥ ଭୁଷୁଡି ବର୍ତମାନ ସୁଦ୍ଧା ୩୮ ଜଣଙ୍କର ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ୨ଶହରୁ ଅଧିକ ବିମାନ ଉଡାଣ ରଦ୍ଧ ହୋଇଛି । ସେହିପରି ରେଳ ଧାରଣାରେ ପାଣି ଜମିବା ଯୋଗୁଁ ଲୋକାଲ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି ।ପ୍ରବଳ ବର୍ଷା ଯୋଗୁଁ ଅନେକ ଅଂଚଳ ଜଳମଗ୍ନ ହୋଇ ରହିଛି ।

ମୁମ୍ବାଇରେ ବର୍ଷା ବିତ୍ପାତ । ମାୟାନଗରୀ ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ୩ଦିନର ଲଗାଣ ବର୍ଷାରେ ବଦଳିଯାଇଛି ବାଣିଜ୍ୟନଗରୀର ଚିତ୍ର । ସିଓନ, ଦାଦର, କୁର୍ଲା, ନଭି ମୁମ୍ବାଇ ଇ କିଙ୍ଗ ସର୍କଲ ଅଂଚଳର ଲୋକେ ସବୁଠୁ ଅଧିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ରାସ୍ତାରେ ବର୍ଷା ପାଣି ଜମି ରହିଛି । ଘରଦ୍ୱାରା ଦୋକାନ ବଜାର ସବୁଆଡେ ଖାଲି ପାଣି ପାଣି । ବିଶେଷ ଭାବେ ତଳିଆ ଅଂଚଳର ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଆଂଠୁଏ ପାଣି ଭିତରେ ପଶି ଲୋକମାନେ ଯାଆସ କରୁଥିବା ଦେଖିବାକୁ ମିଳିଛି । ଅଧିକ ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ଦ ଘୋଷଣା କରାଯାଇଛି । ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ଲୋକଙ୍କ ଅସୁବିଧାକୁ ବଢାଇ ଦେଇଛି । ମୁମ୍ବାଇ ହାଇୱେରେ ହଜାର ହଜାର ଗାଡି ଅଟକି ରହିଛି । ଜଳମଗ୍ନ ହୋଇଥିବା ଅଂଚଳଗୁଡିକରେ ନୌସେନା ଟିମ ପହଁଚିଛି । ଏନଡିଆରଏଫ ସହାୟତାରେ ପାଖାପାଖି ୧ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ମହାରାଷ୍ଟ୍ରରେ ଭୀଷଣ ବର୍ଷାର ତାଣ୍ଡବ ଯୋଗୁଁ କାନ୍ଥ ଭୁଷୁଡି ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମଲାଡ ଇଷ୍ଟ, କଲ୍ୟାଣ ଓ ପୁଣେରେ କାନ୍ଥ ଭୁଷୁଡିବା ଘଟଣା ସମ୍ନାକୁ ଆସିଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଁଚି ମାଟିତଳେ ଫଶିରହିଥିବା ଲୋକଙ୍କୁ ଉଦ୍ଧାର କରୁଛି । ସେପଟେ ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟ୍ତା ରାଶି ଘୋଷଣା କରିଛନ୍ତି । ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ରେଳ ଟ୍ରାକରେ ପାଣି ଜମିରହିଥିବାବେଳେ ରେଳ ସେବା ବାଧାପ୍ରାପ୍ତ ହୋଇଛି । ଅନେକ ଟ୍ରେନକୁ ରବ୍ଦ କରାଯାଇଥିବାବେଳେ ଆଉ କିଛି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ମେଟ୍ରୋ ଟ୍ରେନ ଓ ଗାଡି ଚଳାଚଳ ବି ବାଧାପ୍ରାପ୍ତ ହୋଇଛି । ବିମାନ ସେବା ଉପରେ ବି ଏହାର ପ୍ରଭାବ ପଡିଛି । ପାଖାପାଖି ୫୫ଟି ବିମାନର ଗତିପଥ ପରିବର୍ତନ କରାଯାଇଚି । ଏହାସହ ୫୨ଟି ବିମାନ ଉଡାଣକୁ ରବ୍ଦ କରି ଦିଆଯାଇଛି । ସୋମବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ବିମାନବନ୍ଦରର ମୁଖ୍ୟ ରନୱେରେ ଦୁର୍ଘଟଣାରୁ ଅଳ୍ପକେ ବର୍ତିଛି ସ୍ପାଇସ ଜେଟ ବିମାନ । ଜୟପୁରରୁ ମୁମ୍ବାଇ ଆସିଥିବା ବିମାନଟି ଲ୍ୟାଣ୍ଡିଂ ସମୟରେ ଚକ ଖସି ଯାଇଥିଲା ତେବେ ଅଳ୍ପକେ ଏହା ଦୁର୍ଘଟଣାରୁ ବର୍ତି ଯାଇଛି । ଫଳରେ ମୁମ୍ବାଇ ବିମାନବନ୍ଦରର ମୁଖ୍ୟ ରନୱେକୁ ବନ୍ଦ କରିଦିଆଯାଇଛି । ତେବେ ମୁମ୍ବାଇ ସମୁଦ୍ର ଜୁଆରରେ ଉଚ୍ଚ ଜୁଆର ଉଠୁଥିବା ବେଳେ ଏଥିପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଅପରପକ୍ଷରେ ଆହୁରୀ ୪୮ଘଂଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।