ପଞ୍ଜାବ କଂଗ୍ରେସରେ ବଢିଲା ସଙ୍କଟ : କ୍ୟାପଟେନ ଅମରିନ୍ଦର ସିଂଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର

90

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସ ରାଜନୀତି ନେଉଛି ନାଟକୀୟ ମୋଡ଼ । ନବଜୋତ ସିଂ ସିଦ୍ଧୁ, ଚରଣଜିତ୍ ସିଂ ଚନ୍ନି ଏବଂ କ୍ୟାପଟେନ୍ ଅମରିନ୍ଦର ସିଂହ, କଂଗ୍ରେସର ଏହି ତିନି ତୁଙ୍ଗ ନେତାକୁ ନେଇ ଘୁରିବୁଲୁଛି ରାଜନୀତି । ନୂଆ ମୁଖ୍ୟମନ୍ତ୍ରୀ ରବିବାର ଦିନ ତାଙ୍କର ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ କରିବା ପରେ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି ସିଦ୍ଧୁ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ସିଦ୍ଧୁ ଲେଖିଛନ୍ତି, ପଞ୍ଜାବର ଭବିଷ୍ୟତ ଓ ବିକାଶର ଏଜେଣ୍ଡାରେ ସେ ସାଲିସ କରିପାରିବେ ନାହିଁ । ତେଣୁ ସଭାପତି ପଦରୁ ସେ ଇସ୍ତଫା ଦେଉଛନ୍ତି ।

ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବର ଜଣେ ମନ୍ତ୍ରୀ ଓ ୪ ନେତା ବି ଦଳୀୟ ପଦବୀ ଛାଡିଛନ୍ତି । ନୂଆ ମନ୍ତ୍ରିମଣ୍ଡଳ, ବିଭାଗ ବଣ୍ଟନ ଏବଂ କେତେକ ଅଫିସରଙ୍କ ନିଯୁକ୍ତିରେ ଅସନ୍ତୋଷ ପ୍ରକାଶ କରି ସିଦ୍ଧୁ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ ଅମରିନ୍ଦର ସିଂହଙ୍କ ବିରୋଧ ସତ୍ତ୍ବେ ହାଇକମାଣ୍ଡ ସିଦ୍ଧୁଙ୍କୁ ପିସିସି ସଭ‌ାପତି ନିଯୁକ୍ତ କରିଥିଲେ । ଏହାକୁ ନେଇ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଥିବା ଅମରିନ୍ଦରଙ୍କ ମଧ୍ୟରେବଡ଼ ଧରଣର ବିବାଦ ହୋଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ସିଦ୍ଧୁଙ୍କ ପସନ୍ଦର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏହାପରେ ଦଳୀୟ ସଂଗଠନ ଏବଂ ପ୍ରଶାସନକୁ ସଜାଡ଼ିବା ଲାଗି ଉଦ୍ୟମ ଚାଲିଥିବା ବେଳେ ସିଦ୍ଧୁ ହଠାତ୍ ଇସ୍ତଫା ଘୋଷଣା କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଦ୍ବାରା କ୍ୟାବିନେଟରେ ହୋଇଥିବା ପରିବର୍ତ୍ତନକୁ ସିଦ୍ଧୁ ଗ୍ରହଣ କରିନାହାନ୍ତି । କିଛି ନିଷ୍ପତ୍ତିରେ ତାଙ୍କୁ ଗୁରୁତ୍ବ ଦିଆଯାଇନି । ଦୁର୍ନୀତି ମାମଲା ଥିବା ନେତାମାନଙ୍କୁ ପ୍ରମୁଖ ପଦବି ମିଳିବାରେ ବି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସବୁ ତାଙ୍କ ଇସ୍ତଫାର କାରଣ ହୋଇଥାଇପାରେ । ରାଜ୍ୟ ପୋଲିସ ଡିଜି ଏବଂ ଆଡଭୋକେଟ ଜେନେରାଲଙ୍କ ନିଯୁକ୍ତି ବେଳେ ତାଙ୍କ ସହିତ ବିଚାରବିମର୍ଶ କରାଯାଇ ନଥିବାରୁ ସିଦ୍ଧୁ କ୍ଷୁବ୍ଧ ଥିବା କୁହାଯାଉଛି ।

ତେବେ ତାଙ୍କର ଇସ୍ତଫାକୁ ଗ୍ରହଣ କରାଯାଇନାହିଁ । ତାଙ୍କ ସହିତ କଥାବାର୍ତା ଚାଲିଥିବା କଂଗ୍ରେସ ସୂତ୍ରରୁ ପ୍ରକାଶ । ସିଦ୍ଧୁ ପିସିସି ପଦରୁ ଇସ୍ତଫା ଦେବାପରେ ତାଙ୍କର ମୁଖ୍ୟ ସମାଲୋଚକ ଅମରିନ୍ଦର ସିଂହ ତୁରନ୍ତ କଟାକ୍ଷ କରିଛନ୍ତି । ଅମରିନ୍ଦର କହିଛନ୍ତି, ସିଦ୍ଧୁ ସ୍ଥିର ନୁହନ୍ତି ଏବଂ ସେ ଜଣେ ଅସ୍ଥିର ମାନସିକତାର ବ୍ୟକ୍ତି ବୋଲି ସମେସ୍ତ ଜାଣନ୍ତି । ଏକଥା ମୁଁ ଆଗରୁ କହିଥିଲି । ପଞ୍ଜାବ ପରି ସୀମାବର୍ତ୍ତୀ ରାଜ୍ୟ ପାଇଁ ସିଦ୍ଧୁ ଆଦୌ ଠିକ୍‌ ନୁହନ୍ତି ବୋଲି ଅମରିନ୍ଦର କହିଛନ୍ତି ।