ରେକର୍ଡ଼ ଭାଙ୍ଗୁଛି ବର୍ଷା : ପୁରୀରେ ୮୭ ବର୍ଷ ଓ ଭୁବନେଶ୍ୱରରେ ୬୩ ବର୍ଷ ପରେ ୨୪ଘଂଟାରେ ସର୍ବକାଳୀନ ବର୍ଷା ରେକର୍ଡ଼

242

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପୁରୀ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୨ ତାରିଖ ସକାଳ ୮ଟା ୩୦ରୁ ୧୩ ତାରିଖ ୮ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍‌ , ପାରାଦୀପରେ ୨୧୯ ମିଲିମିଟର୍‌, ଭୁବନେଶ୍ୱରରେ ୧୯୫ ମିଲିମିଟର୍‌, ବାଲେଶ୍ବରରେ ୨୪, ଚାନ୍ଦବାଲିରେ ୪୬ ଓ ଗୋପାଳପୁରରେ ୬୪ ମିଲିମିଟର୍‌  ବର୍ଷା ରେକର୍ଡ କରାଯାଇଛି ।

କଟକ ଓ ଭୁବନେଶ୍ୱର ସହରବାସୀଙ୍କୁ ଆସନ୍ତା ୬ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଠାରେ ଘଣ୍ଟାକୁ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଥିବାର ସୂଚନା ମିଳିଛି । ଟ୍ବିନ୍ ସିଟିର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ଏଣୁ ଜଳ ନିଷ୍କାସନ ଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପରିକି ଘରୁ ବାହାରକୁ ନ ଯିବା ଲାଗି ବି ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୧୬୩.୦ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା । ତା’ପରେ ରାଜ୍ୟ ରାଜଧାନୀରେ ଦିନକରେ ଏତେ ପରିମାଣର ବୃଷ୍ଟିପାତ ହୋଇଥିବାର ରେକର୍ଡ ନାହିଁ ।

ଉଲ୍ଲେଖଯୋଗ୍ୟ, ରବିବାର ସକାଳୁ ରାତି ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନର୍ଗଳ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଜାତୀୟ ରାଜପଥ ପାର୍ଶ୍ବବର୍ତ୍ତୀ ଉଠା ଦୋକାନ ଠାରୁ ଆରମ୍ଭ କରି ନାମୀଦାମୀ ସୋ’ରୁମ୍‌ଗୁଡ଼କ ମଧ୍ୟ ବର୍ଷାପାଣି ଘେରରେ ରହିଛି । ବର୍ଷା ପାଣି ସ୍ରୋତରେ ବାଇକ୍‌ ଓ କାର୍‌ ଭଳି ଯାନ ସବୁ କାଗଜଡଙ୍ଗା ଭାସିବା ଭଳି ଭାସୁଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ । ତେବେ ଗତକାଲି ସକାଳ ୮ଟା୩୦ରୁ ଆଜି ସକାଳ ମଧ୍ୟରେ ରାଜଧାନୀରେ ୧୯୫ ମିଲିମିଟର ବର୍ଷା ହୋଇଛି । ୧୯୫୮ ସେପ୍ଟେମ୍ବର ୯ରେ ୨୪ ଘଂଟାରେ ଭୁବନେଶ୍ୱରରେ ୧୬୩ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିଲା । ୬୩ ବର୍ଷ ପରେ ସର୍ବକାଳୀନ ରେକର୍ଡ଼ ବର୍ଷା ହୋଇଛି । ୧ ସେପ୍ଟେମ୍ବର ୨୦୧୪ରେ ୨୪ ଘଂଟାରେ ୧୧୬ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିଲା । ୨୫ ସେପ୍ଟେମ୍ବର ୨୦୧୯ରେ ୨୪ ଘଂଟାରେ ୧୨୬ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିଲା । ପୁରୀ, ଭୁବନେଶ୍ୱର ବ୍ୟତୀତ ପାରାଦୀପରେ ୨୪ ଘଂଟାରେ ୨୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।