ଆଜି ବି ପାଣିପାଗ ବିଭାଗର ପ୍ରବଳ ବର୍ଷା ଚେତାବନୀ : ୫ ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଓ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ପ୍ରବଳ ବର୍ଷାରେ ଭିଜୁଛି ସାରା ରାଜ୍ୟ

2,961

କନକ ବ୍ୟୁରୋ : ଓଡ଼ିଶା ଉପକୂଳରେ ଅବପାତ । ଘଂଟା ପ୍ରତି ୫ କିମି ବେଗରେ ଗତି କରୁଛ । ପାରାଦିପ ଉପକଳରୁ ୪୦ କିମି ଦୂରରେ ରହିଛି । ପ୍ରବଳ ବର୍ଷାରେ ଭିଜିଲା ସାରା ରାଜ୍ୟ । ଲଘୁଚାପ ପ୍ରଭାବରେ ୨୪ ଘଂଟାରେ ପୁରୀରେ ସର୍ବାଧିକ ୩୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ଦିନ ତମାମ ବର୍ଷା ଜାରି ରହିବ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି । ରାତି ୧୦ଟା ସୁଦ୍ଧା ଏହା ଚାନ୍ଦବାଲିଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୮୦ କିମି, ପାରାଦୀପର ପୂର୍ବରେ ୭୦ କିମି ଓ ବାଲେଶ୍ବରଠାରୁ ୧୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ସୋମବାର ସକାଳ ସୁଦ୍ଧା ଏହା ଓଡ଼ିଶା ଉପକୂଳ ତଥା ଚାନ୍ଦବାଲି ନିକଟରେ ଉପକୂଳ ସ୍ପର୍ଶ କରିବ। ଧୀରେ ଧୀରେ ଏହା ଉତ୍ତର ଓଡ଼ିଶା ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଯିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଆଜି ୮ଟା ୩୦ ସୁଦ୍ଧା ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ଅର୍ଥାତ୍‌ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ଅନ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଯେଉଁଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ତେଣୁ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବଡ଼ ବର୍ଷା ଯୋଗୁଁ ସହରତଳୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ । ପାହାଡ଼ିଆ ଅଞ୍ଚଳରେ ମାଟି ଧସିବା, ରାସ୍ତା ଧୋଇଯିବା, ମାଟି ଘର ଭାଙ୍ଗିବା ପରି ସମସ୍ୟା ଉପୁଜିପାରେ । ତେଣୁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହ ବର୍ଷାର ସ୍ଥିତି ଉପରେ ନଜର ରଖିବାକୁ ବିଡିଓ, ତହସିଲଦାରମାନଙ୍କୁ ନିର୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଆଜି ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ରେ ୩୦ରୁ ୪୦ କିମି ଏବଂ ସ୍ଥଳ ବିଶେଷରେ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ସାଧାରଣ ଲୋକଙ୍କୁ କୁହାଯାଇଛି ।