ପଶ୍ଚିମା ଝଡ ପ୍ରଭାବରେ ଉଡିଗଲା ଘର ଛପର, ୨ ମୃତ: ଆସନ୍ତା ୨୨ ତାରିଖ ଯାଏଁ ଲାଗିରହିବ ବର୍ଷା ,ଆଜି ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ଆଶଙ୍କା

154

କନକ ବ୍ୟୁରୋ: ଆଜି ଉପକୂଳ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବିଶେଷକରି ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଅନୁଗୁଳ ଆଦି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ଝଡବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏଥିପାଇଁ ଏସବୁ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ଉପକୂଳ ଓଡ଼ିଶା ସହ, କୋରାପୁଟ ଏବଂ ଭୁବନେଶ୍ୱର ରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷାରେ କୋରାପୁଟ ପଟ୍ଟାଙ୍ଗି ଚନ୍ଦକା ଗ୍ରାମପଞ୍ଚାୟତର ତଳକରାଢାବା ଗାଁରେ ୫ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଏପଟେ ବାଲେଶ୍ୱରରେ ବି ପଶ୍ଚିମା ଝଡ ପ୍ରଭାବରେ ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ମାଡ ହୋଇଛି । ପ୍ରବଳ ବର୍ଷା ଓ ପବନରେ ବସ ଉପରେ ଗଡ ପଡିଛି ଗଛ । ନୀଳଗିରି ଅଯୋଧ୍ୟା ପଞ୍ଚୟତରେ ବଜ୍ରପାତରେ ଯାଇଛି ୧୬ରୁ ଅଧିକ ଗୋରୁଙ୍କ ଜୀବନ । ହଠାତ ବର୍ଷା ହେବାରୁ ୩୦ଟି ଗାଈ ଏକ ଅର୍ଦ୍ଧନିର୍ମିତ ଦୋକାନ ଘରେ ପଶିଯାଇଥିଲେ । ହଠାତ ବଜ୍ରପାତ ହୋଇଥିଲା । ପଶ୍ଚିମାଝଡ ପ୍ରଭାବରେ ଭୁବନେଶ୍ୱରରେ ବି ପବନ ସହ ବର୍ଷା ହୋଇଛି । ଗତକାଲି ସନ୍ଧ୍ୟାରେ ପାଗ ଅନୁକୂଳ ଥିବାବେଳେ ହଠାତ ପବନ ହୋଇଥିଲା । ବର୍ଷା ବି ସାମାନ୍ୟ ହୋଇଛି । ପବନ ସହ ବର୍ଷା ଯୋଗୁଁ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଛି ।