ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା : ଆସନ୍ତା ୨୬ ତାରିଖ ଯାଏଁ ଲଗାଣ ବର୍ଷାରେ ଭିଜିବ ଓଡ଼ିଶା; ୧୮ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ

346

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ବର୍ଷା ପାଇଁ ଯାତାୟତରେ ଦେଖାଦେଇଛି ସମସ୍ୟା । ଆସନ୍ତା ୪ ଦିନ ଅର୍ଥାତ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୧୮ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ଜିଲ୍ଲାଗୁଡ଼ିକ ହେଲା ପୁରୀ, କେନ୍ଦ୍ରାପଡା, ଗଂଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ ଯାଜପୁର, କଟକ, ଜଗତସିଂହପୁର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ରାୟଗଡ଼ା, ନୂଆପଡ଼ା କଳାହାଣ୍ଡି, ନବରଙ୍ଗପୁର ।

୪ଟି ଜିଲ୍ଲା ପୁରୀ,କେନ୍ଦ୍ରାପଡ଼ା, ଗଂଜାମ, ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ବାକି ସମସ୍ତ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦୈତ ସହର କଟକ, ଭୁବନେଶ୍ୱରରେ ମଧ୍ୟ ଭୋର ସମୟରୁ ଲାଗି ରହିଛି ମୌସୁମୀ ଜନିତ ବର୍ଷା ।

୧ଜୁନ ରୁ ୨୨ ଜୁନ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୩୯.୫ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୩୭.୦ ମିମି ଠାରୁ ୨ ପ୍ରତିଶତ ଅଧିକ ରହିଛି । ୧ ଜୁନ ରୁ ୨୨ ଜୁନ ମଧ୍ୟରେ ରାୟଗଡା, ଗଂଜାମ, ଗଜପତି, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ ଏବଂ କେନ୍ଦୁଝର, ଏହି ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ଵାଭିବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି । ଏହି ସମୟ ପରିଧି ମଧ୍ୟରେ ୨ ଜିଲ୍ଲା ସୁନ୍ଦରଗଡ଼, ଏବଂ କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତା ଠାରୁ ଅଧିକ ବର୍ଷା ଅନୁଭୂତ ହେଇଛି ।

୬ ଜିଲ୍ଲା ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା ଏବଂ ମାଲକାନଗିରି ଠାରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଠ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି । ଆଜି ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୪୧.୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବନିମ୍ନ ୬୫.୭ ମିମି ବର୍ଷା ରେକର୍ଡ ହୋଇଛି ।