କନକ ବ୍ୟୁରୋ: ଏ ବର୍ଷ ଠିକ୍ ସମୟରେ ଅର୍ଥାତ ଜୁନ୍ ୧ରେ କେରଳ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କିନ୍ତୁ ମୌସୁମୀ ବାହୁଡ଼ିବାରେ ଏଥର ୩୬ ଦିନ ବିଳମ୍ବ କରିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୌସୁମୀ ଉତ୍ତର-ପଶ୍ଚିମ ଭାରତରୁ ଫେରିବା ଆରମ୍ଭ କରିବ । ଏହାପରେ ଧୀରେଧୀରେ ସାରା ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଭାରତୀୟ ପାଣିପାଗର ଆକଳନ ଅନୁସାରେ ଦେଶରେ ପଶ୍ଚିମ ଓ ଉତ୍ତରପଶ୍ଚିମ ପବନ ସକ୍ରିୟ ହେଉଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଧୀରେଧୀରେ ଅପସରି ଯିବ ।
ଓଡ଼ିଶାରେ ଏହି ପ୍ରକ୍ରିୟା ଅକ୍ଟୋବର ୨୦ ଆଡ଼କୁ ଆରମ୍ଭ ହେବ। ତେବେ ମୌସୁମୀ ଦୁର୍ବଳ ହେଉହେଉ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ୯ ତାରିଖ ଆଡ଼କୁ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ ଏବଂ ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପ୍ରାଥମିକ ଆକଳନ କହୁଛି । ତେବେ ବାତ୍ୟା ଅଧିକ ବଳଶାଳୀ ହେବନାହିଁ। ଯଦି ଅବପାତ ବାତ୍ୟାରେ ପରିଣତ ହୁଏ; ତେବେ ତାହା ‘ଗୁଲାବ’ ଭଳି ଏକ ଛୋଟ ବାତ୍ୟା ହେବ ଓ ଏହା ଆନ୍ଧ୍ରମୁହାଁ ହେବ । ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସପ୍ତାହେ ଅର୍ଥାତ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ହେବ। ତେବେ ଅକ୍ଟୋବର ତୃତୀୟ ସପ୍ତାହରେ କିଛି ବର୍ଷାର ସମ୍ଭାବନା ରହିଛି। ଆନ୍ଧ୍ରମୁହାଁ ଛୋଟ ବାତ୍ୟା ହେବା ପାଇଁ ପାଗ ଅନୁକୂଳ ରହିବାର ସଙ୍କେତ ମିଳୁଛି । ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ଯେ ଆସନ୍ତା ୨୪ ଘଣ୍ଟା ଭିତରେ ଫିଲିପାଇନ୍ସ୍ର ପଶ୍ଚିମରେ ଗଭୀର ଅବପାତ ଏକ ବାତ୍ୟା ରୂପ ନେବ। ତାହା ଦକ୍ଷିଣ ଚୀନସାଗର ଅତିକ୍ରମ କରି ଭିଏତ୍ନାମ ଉପକୂଳ ସ୍ପର୍ଶ କରିବ। ଏହାର ଅବଶିଷ୍ଟାଂଶ ଆସି ୯ ତାରିଖରେ ମିଆଁମାର ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଯିବ। ତା’ପରେ ଅଧିକ ଘନୀଭୂତ ହୋଇ ପ୍ରାୟତଃ ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଉପକୂଳମୁହାଁ ହେବ ।
ବିଭିନ୍ନ ମଡେଲର ବିଶ୍ଳେଷଣରୁ ଜଣାପଡ଼ୁଛି, ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ହିଁ ଗଭୀର ଅବପାତରେ ପରିଣତ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳକୁ ମୁହାଁଇବ । ସମ୍ଭବତଃ ଏହା ୧୭ ତାରିଖ ବେଳକୁ ଉପକୂଳ ଛୁଇଁବ। ସମ୍ଭବତଃ ବାତ୍ୟାଟି କାକିନାଡ଼ା ଓ ମଛଲିପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ଉପକୂଳ ପହଞ୍ଚିବ । ଏହାଦ୍ବାରା ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ । ଏହାର ପ୍ରଭାବରେ ଓଡ଼ିଶାରେ ୧୫ରୁ ୧୭ ତାରିଖ ଭିତରେ ଉପକୂଳରେ ବିଶେଷ କରି ଦକ୍ଷିଣ ଉପକୂଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୦ ତାରିଖ ଆଡ଼କୁ ଏ ନେଇ ସ୍ପଷ୍ଟ କହିହେବ।
ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ପାଗ ମଧ୍ୟ ମେଘୁଆ ରହୁଛି । ଆସନ୍ତାକାଲି ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ।