ଅବପାତର ରୂପ ନେଲା ଲଘୁଚାପ: ୨୪ ଘଂଟା ମଧ୍ୟରେ ନେବ ବାତ୍ୟାର ରୂପ; ତେବେ ଓଡିଶାରେ ରହିବ କି ପ୍ରଭାବ? ଜାଣନ୍ତୁ କଣ କହୁଛି ଆଂଚଳିକ ପାଣିପାଗ ବିଭାଗ

Advertisment
ଅବପାତର ରୂପ ନେଲା ଲଘୁଚାପ: ୨୪ ଘଂଟା ମଧ୍ୟରେ ନେବ ବାତ୍ୟାର ରୂପ; ତେବେ ଓଡିଶାରେ ରହିବ କି ପ୍ରଭାବ? ଜାଣନ୍ତୁ କଣ କହୁଛି ଆଂଚଳିକ ପାଣିପାଗ ବିଭାଗ

କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ଅଧିକ ଘନୀଭୂତ ହୋଇ ୱେଲମାର୍କ ଲୋ ପ୍ରେସରର ରୂପ ନେଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ । ତେବେ ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପଟି ବାତ୍ୟାର ରୂପ ନେଲା ପରେ ଏହାର ପ୍ରଭାବ ଓଡିଶାରେ ପଡିବ କି ନାହିଁ ତାକୁ ନେଇ ବର୍ତ୍ତମାନ ଚାରି ଆଡେ ଚର୍ଚ୍ଚା ହେଉଥିବା ବେଳେ ନିକଟରେ ସାମୁଦ୍ରିକ ଝଡ ଫୋନିର ପ୍ରକୋପକୁ ଅଙ୍ଗେ ଲିଭେଇଥିବା ରାଜ୍ୟବାସୀଙ୍କ ମନରେ ପୁଣି ଥରେ ଭୟ ସୃଷ୍ଟି କରିଛି । ସାମୁଦ୍ରିକ ଝଡ ଫୋନିର ଫଣାରେ ଛାରଖାର ହୋଇଯାଇଥିଲା ରାଜଧାନୀ ଭୁବନେଶ୍ୱର ସମେତ ଅନେକ ଜିଲ୍ଲା । ତେବେ ଫୋନି ପ୍ରଳୟକୁ ୬ ମାସ ବିତି ଯାଇଥିଲେ ସୁଦ୍ଧା ଏବେବି ଅଧା ଓଡିଶା ସଳଖି ଠିଆ ହେବା ଅବସ୍ଥାରେ ନାହିଁ । ଆଉ ଏଭଳି ପରିସ୍ଥିତିରେ ଆଉ ଏକ ବାତ୍ୟାର ନାଁ ଶୁଣି ଭୟରେ ଥରହର ହେଲେଣି ଓଡିଶାବାସୀ ।

ତେବେ ବାତ୍ୟାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଏହି ଭୟକୁ ଦୂର କରିଛି ଆଂଚଳିକ ପାଣିପାଗ ବିଭାଗ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ବାତ୍ୟାର ରୂପ ନେଲା ପରେ ଏହାର ପ୍ରଭାବ ଓଡିଶାରେ ରହିବ କି ନାହିଁ ? ଯଦି ରହିବ ତେବେ କେଉଁ ସ୍ଥାନରେ ମାଡ ହେବ ? ଆଉ ଏହି ସମୟରେ ପବନର ବେଗ କେତେ ରହିବ ? ଏଭଳି ଅନେକ ପ୍ରଶ୍ନର ଉତର ରଖିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର ।
ମୃତ୍ୟୁଂଜୟ ମହାପାତ୍ରଙ୍କ କହିବାନୁସାରେ, ଗତକାଲି ଯେଉଁ ଲଘୁଚାପ କ୍ଷେତ୍ରଟି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ତାହା କ୍ରମଶଃ ଉତର ପଶ୍ଚିମ ଦିଗରେ ଗତି କରି ଆଜି ପୂର୍ବ କେନ୍ଦ୍ରିୟ ବଙ୍ଗସାଗରରେ ଗୋଟିଏ ଡିପ୍ରେସନରେ ପରିଣତ ହୋଇଛି । ଏହା ପାରାଦୀପଠାରୁ ପ୍ରାୟ ୯୫୦ କିଲୋମିଟର ଦୂରରେ ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି । ତେବେ ଆଶା କରାଯାଉଛି କି ଏହା ପ୍ରଥମତଃ ପଶ୍ଚିମ ଉତର ପଶ୍ଚିମ ଦିଗରେ ଓ ତା ପରେ ଉତର ଉତର ପଶ୍ମିମ ଦିଗରେ ଓଡିଶା ଏବଂ ୱେଷ୍ଟ ବେଙ୍ଗଲ ଉପକୂଲ ଆଡକୁ ଗତି କରିବ । ଏବଂ ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଗୋଟିଏ ସାଇକ୍ଲୋନର ରୂପ ନେବ । ତେବେ ଏହା ବାତ୍ୟାର ରୂପ ନେଲେ ଏହା ଓଡିଶା କି ପଶ୍ଚିମବଂଗରେ ମାଡ ହେବ ଏନେଇ ଆସନ୍ତା ୨୪ ଘଂଟାରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ।

ସେହିଭଳି ବାତ୍ୟାର ରୂପ ନେବା ପରେ ଏହା କେଉଁ ଦିଗକୁ ଗତି କରିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର । ଫୋନି ପରି ଏହା ସେତେଟା ଶକ୍ତିଶାଳୀ ହେବାର ଆଶଙ୍କା କମ୍ ବୋଲି ସେ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଆସନ୍ତା ୯, ୧୦ ଓ ୧୧ ତାରିଖ ବେଳକୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବ । ଏହି ଲଘୁଚାପ ଯଦି ବାତ୍ୟାର ରୂପ ନିଏ ତେବେ ତାହାର ନାମ ବୁଲବୁଲ୍ ରହିବ । ଏହି ବାତ୍ୟା ଆଗକୁ କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ତାହା ଏବେ କହିବା ସମ୍ଭବ ନୁହଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe