କରୋନା କଟକଣା ଯୋଗୁଁ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ । ଦୂରରୁ ଶ୍ରୀମନ୍ଦିରକୁ ଦର୍ଶନ କରି ଅଭିଭୂତ ଭକ୍ତ । ସେପଟେ, ସକାଳୁ ସକାଳୁ ଶ୍ରୀକ୍ଷେତ୍ର ଆକାଶରେ ଦେଖାଗଲା ଅପୂର୍ବ ଦୃଶ୍ୟ

238

କନକ ବ୍ୟୁରୋ: ଅପୂର୍ବ ଶ୍ରୀଜଗନ୍ନାଥଙ୍କ ଲିଳା । ଆଜି ସକାଳେ ମନ୍ଦିର ଭିତରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗ ହେଉଥିବା ବେଳେ ଶ୍ରୀମନ୍ଦିର ଉପରେ ଆକାଶରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ । ସତେ ଯେମିତି ମନ୍ଦିର ଉପରେ ଜଗନ୍ନାଥ ନିଜ ଯୁଦ୍ଧ ଧନୁକୁ ଆଚ୍ଛାଦନ କରିଛନ୍ତି । ସୂର୍ଯ୍ୟ ଉଇଁଲା ବେଳକୁ ଶ୍ରୀମନ୍ଦିର ଉପରେ ଇନ୍ଦ୍ରଧନୁ ଦେଖିବାକୁ ମିଳିଛି । ଏହା ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଅଭିଭୂତ କରିଦେଇଛି । ପୁରା ମନ୍ଦିରକୁ ଏହି ଇନ୍ଦ୍ରଧନୁ ଆଚ୍ଛାଦିତ କରି ରଖିଥିବା ଦୃଶ୍ୟ ଥିଲା ଅପୂର୍ବ ଓ ମନୋରମ ।

ସେପଟେ ପୁରୀ ବେଳାଭୂମିରେ ଶୋଭାପାଉଛି ବାଲିରେ ତିଆରି ଚତୁର୍ଧା ମୂର୍ତିଙ୍କ ନାଗାର୍ଜୁନ ବେଶ । ବିଶିଷ୍ଠ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହାକୁ ନିର୍ମାଣ କରିଛନ୍ତି । ଏହାକୁ ଦେଖିବାକୁ ଦର୍ଶକଙ୍କ ଭିଡ ଜମୁଛି । ମନେ ହେଉଛି, ମନ୍ଦିର ଭିତରେ ଏହି ବେଶର ଦର୍ଶନ ମିଳୁନଥିବା ବେଳେ ଶିଳ୍ପୀର ସୁକ୍ଷ୍ମ କାମ ଏହାକୁ ଏତେ ଜୀବନ୍ତ କରିଛି ଯେ ଦର୍ଶକ ଆତ୍ମହରା ହୋଇ ପଡୁଛନ୍ତି ।