କୋହଲି ଜିତନ୍ତୁ ଆଇପିଏଲ ଟ୍ରଫି । ଚେନ୍ନାଇ ସୁପର କିଙ୍ଗସର ପୂର୍ବ ଖେଳାଳୀ କାହିଁକି କହିଲେ ଏମିତି କଥା ।

158

କନକ ବ୍ୟୁରୋ : ଆଇପିଏଲ ପାଇଁ ବାଜି ସାରିଛି ବିଗୁଲ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାମୁକାବିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ-ବାଙ୍ଗାଲୋର । ଏହି ହାଇଭୋଲଟେଜ ମୁକାବିଲା ଦେଖିବାକୁ କ୍ରିକେଟପ୍ରେମୀ ଚାହିଁ ରହିଛନ୍ତି । ତେବେ ଏହି ମୁକାବିଲା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ କ୍ରିକେଟର ସୁରେଶ ରୈନା ଉଭୟ ବାଙ୍ଗାଲୋର ଓ ବିରାଟ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।

ରୈନା କହିଛନ୍ତି, ମୁଁ ଚାହୁଁଛି ଏଥର ବିରାଟ ଆଇପିଏଲ ଟ୍ରଫି ଉଠାନ୍ତୁ । ବିରାଟ ଏଥିପାଇଁ ହକଦାର ମଧ୍ୟ । ଉଭୟ ଭାରତୀୟ ଦଳ ଓ ଆରସିବି ପାଇଁ ଦୀର୍ଘବର୍ଷ ହେବ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି । ତେଣୁ ଏଥର ଆରସିବି ଆଇପିଏଲ ଚାମ୍ପିୟନ ହେଉ ଏବଂ ବିରାଟ ଟ୍ରଫି ଉଠାନ୍ତୁ । ଗତବର୍ଷ ଚେନ୍ନାଇ ଆଇପିଏଲ ଚାମ୍ପିୟନ ହୋଇଥିଲା କିନ୍ତୁ ଏବର୍ଷ ଯେଉଁ ଦଳ ଆଦୌ ଆଇପିଏଲ ଚାମ୍ପିୟନ ହୋଇନାହାନ୍ତି ସେହି ଦଳ ଟ୍ରଫି ହାସଲ କରୁ । ବିରାଟ ବହୁତ ପରିଶ୍ରମ କରୁଛନ୍ତି ଏବଂ ଆରସିବି ଟ୍ରଫି ଜିତିବ ବୋଲି ଆଶାବାଦୀ ଅଛନ୍ତି ରୈନା । ଗତ ୧୬ ବର୍ଷ ହେବ କୋହଲି ଆରସିବି ପକ୍ଷରୁ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଟ୍ରଫି ଜିତିବାରେ ଏଯାଏଁ ସଫଳ ହୋଇନାହାନ୍ତି ।

ରୈନା ଏହାମଧ୍ୟ କହିଛନ୍ତି, ଆଗାମୀ ଟି-୨୦ ବିଶ୍ୱକପରେ କୋହଲିଙ୍କୁ ଟିମ୍ ଇଣ୍ଡିଆରେ ଦେଖିବାକୁ ଚାହୁଁଛି । କାରଣ ବିଶ୍ୱକପର ଚାପ ହଟାଇବାକୁ କୋହଲିଙ୍କ ଭଳି ଅନୁଭବୀ ଖେଳାଳୀଙ୍କର ଆବଶ୍ୟକତା ରହିଛି । ଯୁବ ଓ ଅନୁଭବୀ ଖେଳାଳୀଙ୍କ ବଳରେ ଆମେରିକାରେ ଭାରତ ସଫଳତା ପାଇପାରିବ । ଯେହେତୁ କୋହଲି ଟାର୍ଗେଟ ହାସଲ କରିବାରେ ମାହିର ତେଣୁ ଦଳ ପାଇଁ ଟି-୨୦ ବିଶ୍ୱକପରେ ଟ୍ରମ୍ପକାର୍ଡ ସାଜି ଉଭା ହେବେ । ଜୟସ୍ୱାଲ, ଶୁଭମାନ ଗିଲ, ସୂର୍ଯ୍ୟ ଯାଦବ, ରିଙ୍କୁ ସିଂଙ୍କ ଭଳି ବିସ୍ଫୋରକ ବ୍ୟାଟର ଏବେ ଭାରତର ଟି-୨୦ ଷ୍ଟାର । ତେଣୁ ଗୋଟିଏ ପଟେ କୋହଲି ଚାପ ସମ୍ଭାଳିଲେ ଅନ୍ୟପଟେ ଏହି ଯୁବ ବ୍ୟାଟର ବିସ୍ଫୋରକ ଇନିଂସ ଖେଳି ଭାରତର ବିଜୟକୁ ସହଜ କରିବେ ବୋଲି କହିଛନ୍ତି ରୈନା । ଏହା ଟିମ୍ ଇଣ୍ଡିଆ ପାଇଁ ଶୁଭ ସଂକେତ ।

ସେହିଭଳି ଧ୍ରୁବ ଜୁରେଲଙ୍କୁ ରୈନା ପ୍ରଂଶସା କରିବା ସହ କହିଛନ୍ତି, ତାଙ୍କର ୱିକେଟକିପିଂ ମୋର ବହୁତ ପସନ୍ଦ । ସେନା ପରିବାରରୁ ଆସିଥିବା ଧ୍ରୁବ ବେଶ ପରିଶ୍ରମୀ । ସେନା ପରିବାରରୁ ଆସିଥିବାରୁ କୌଣସି ଚ୍ୟାଲେଞ୍ଜ ପୂରା ନକରିବା ପର୍ଯ୍ୟନ୍ତ ଛାଡନ୍ତିନି ଧ୍ରୁବ । ତାଙ୍କ ସହ ମୁଁ କିଛି ମ୍ୟାଚ୍ ମଧ୍ୟ ଖେଳିଛି । ଧ୍ରୁବ ଟିମ ଇଣ୍ଡିଆର ଷ୍ଟାର ଖେଳାଳୀ । ଧ୍ରୁବ ଓ ସର୍ଫରାଜଙ୍କ ଭଳି ଯୁବ ଖେଳାଳୀଙ୍କୁ ସୁଯୋଗ ଦେଇଥିବାରୁ ରୋହିତଙ୍କୁ ଧନ୍ୟବାଦ । ଟେଷ୍ଟ କ୍ରିକେଟରେ ଲଗାତାର ୨ଟି ଅର୍ଦ୍ଧଶତକ ହାସଲ କରିବା ସହଜ ନୁହେଁ । ଖାସକରି ଯେତେବେଳେ ପିଚ୍ ସ୍ପିନରଙ୍କୁ ସୁହାଉଥିବ ଏବଂ ଦଳ ସଙ୍କଟରେ ପଡିଥିବ । କିନ୍ତୁ ଧ୍ରୁବ ଜୁରେଲ ଏଭଳି ପରିସ୍ଥିତିରେ ମଧ୍ୟ ନିଜକୁ ପ୍ରମାଣିତ କରିପାରିଛନ୍ତି । ଯାହାଫଳରେ ଇଂଲଣ୍ଡ ବିପକ୍ଷରେ ଭାରତ ସିରିଜ ବିଜୟ ହାସଲ କରିପାରିଛି ।