ଆଖି ବୁଜିଛି ପ୍ରଶାସନ, ଭାସୁଛି ଅଙ୍ଗନୱାଡି । ଅସରାଏ ବର୍ଷାରେ ଉବୁଟୁବୁ ହେଉଛି କଅଁଳ ଶିଶୁଙ୍କ ଭବିଷ୍ୟତ ।

204

କନକ ବ୍ୟୁରୋ: କଥାରେ ଅଛି ଯଦି ମୂଳ ଦୂଆ ଠିକ୍ ନରୁହେ ତାହାର ପରବର୍ତ୍ତୀ ସ୍ତର ଅତନ୍ତ୍ୟ ନଗଣ୍ୟ ହୋଇପଡ଼େ । ବର୍ତ୍ତମାନ ଜଣେ ମଧ୍ୟବିତ୍ତ ହେଉ କିମ୍ବା ଗରିବ ଶ୍ରେଣୀର ପରିବାର, ସେମାନଙ୍କ ପିଲା ପାଇଁ ପ୍ରାଥମିକ ଶିକ୍ଷା କ୍ଷେତ୍ର ପାଲଟିଥାଏ ଅଙ୍ଗନୱାଡି କେନ୍ଦ୍ର । ହେଲେ ଏହି ଅଙ୍ଗନୱାଡିର ଭିବଷ୍ୟତ ପାଇଁ ସରକାର ସତେ ଯେମିତି ଆଖି ବନ୍ଦ କରିଦେଇଛନ୍ତି । ଏକଥା ଆମେ କହୁନୁ ବରଂ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ ।

ଅସରାଏ ବର୍ଷ ହେଲେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଆଣ୍ଠୁଏ ପାଣି । ଆଉ ଅନ୍ଧାରରେ ଅଙ୍ଗନଓ୍ବାଡି ଶିଶୁଙ୍କ ଭବିଷ୍ୟତ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ପଞ୍ଚାୟତ ସଦର ଅଙ୍ଗନଓ୍ବାଡି କେନ୍ଦ୍ରରେ । ଲଗାଣ ବର୍ଷା ରେ ଅଙ୍ଗନଓ୍ବାଡି କେନ୍ଦ୍ର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଭର୍ତ୍ତି ହେଉଛି । ଫଳରେ ପାଠ ପଢା ଓ ଅଙ୍ଗନଓ୍ବାଡି କେନ୍ଦ୍ରର ଅନ୍ୟାନ୍ୟ କାର୍ଯ୍ୟସେବା ସବୁ ଠପ୍ ହୋଇଯାଉଛି । ଆଉ ଏହି ଆଣ୍ଠୁଏ ପାଣି ପିଲାଙ୍କା ପାଠ ପଢ଼ିବା ଉତ୍ସାହରେ ସତେ ଯେମିତି ଲକ୍ଷ୍ମଣରେଖା ପରି ଛିଡ଼ା ହୋଇଛି । ମଉଳୀ ପଡୁଛି କଅଁଳ କଢ଼ିଙ୍କର ଅନେକ ସ୍ୱପ୍ନ । ହେଲେ ନିଦରେ ଶୋଇଛି ସରକାର ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବର୍ଷାଦିନ ହେବା ମାତ୍ରେ ପ୍ରତିଦିନ ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ବେଳେ ବର୍ଷା ପାଣିରେ ଭର୍ତ୍ତି ହୋଇଥିବା କେନ୍ଦ୍ର ପରିସରର ଶିଶୁଙ୍କ ପାଇଁ ବିପଦ ପାଲଟିଛି । ଦୀର୍ଘ ଦିନ ହେବ ଏପରି ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ କୈଣସି ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଯାହାଦ୍ୱାରା ବର୍ଷା ହେବାମ କ୍ଷଣି ଆଣ୍ଟୁ ପାଣିରେ ଉବୁଟୁବୁ ହେଉଛି ଅଙ୍ଗନୱାଡି, ଏପରିକି ପିଲାମାନଙ୍କୁ ରାନ୍ଧି ଖାଇବାକୁ ଦେବା ମଧ୍ୟ ମୁସ୍କିଲ ହୋଇପଡିଛି । ତେବେ ଏଭଳି ଜଳାର୍ଣ୍ଣବ ଅଙ୍ଗନୱାଡି କେନ୍ଦ୍ର ଉପରେ କେବେ ସରକାରଙ୍କ ଆଖି ପଡ଼ିବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।