ଲଘୁଚାପ ବର୍ଷାରେ ବୁଡିଲା ବଡଦାଣ୍ଡ : ଆଣ୍ଠୁଏ ପାଣିରେ ପଶି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ଶ୍ରଦ୍ଧାଳୁ

37

କନକ ବ୍ୟୁରୋ : ଲଘୁଚାପ ଲଗାଣ ବର୍ଷାରେ ବୁଡିଲା ବଡଦାଣ୍ଡ । ଆଣ୍ଠୁଏ ପାଣିରେ ପଶି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ଶ୍ରଦ୍ଧାଳୁ । ଦୁର୍ବଳ ଡ୍ରେନେଜ ବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସକାଳୁ ବର୍ଷା ଲାଗି ରହିଥିବା ବେଳେ ସଠିକ୍ ଭାବରେ ନିଷ୍କାସନ ହୋଇପାରୁନାହିଁ । ଫଳରେ ବଡଦାଣ୍ଡରେ ବର୍ଷା ପାଣି ଜମିରହୁଛି ।

ଗତ ମାସରେ ମଧ୍ୟ ବର୍ଷା ହୋଇ ବଡଦାଣ୍ଡ ଜଳାର୍ଣ୍ଣବ ହୋଇଯାଇଥିଲା । ଭକ୍ତମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଗାଡିମଟର ସବୁ ପାଣି ଘେରରେ ଥିଲେ । ପ୍ରତିବର୍ଷ କୋଟି କୋଟି ଟଙ୍କା ପୁରୀ ସହରର ବିକାଶରେ ଖର୍ଚ ହେଉଥିବାବେଳେ ଏହି ସବୁ ଯୋଜନା ଫେଲ ମାରିଛି । ଏପରିକି ନବକଳେବର ସମୟରେ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ ।

ସରକାରୀ କାଗଜପତ୍ରର ନାଲିଫିତା ତଳେ ପୁରୀର ବିକାଶ ସେହିଭଳି ଚାପି ହୋଇ ରହିଛି । ରାସ୍ତାରେ ପାଣି ଜମିବାକୁ ନେଇ ପୂର୍ବରୁ ଅନେକ ଥର ଆଲୋଚନା ହୋଇଥିଲା । କିନ୍ତୁ ବଡଦାଣ୍ଡର ସ୍ଥିତିରେ ଟିକିଏ ବି ପରିବର୍ତ୍ତନ ଆସିନଥିଲା । ସହରର ରାସ୍ତାରେ ଏତେମାତ୍ରାରେ ପାଣି ପ୍ରବାହିତ ହେବାଫଳରେ କିଛିସମୟ ପାଇଁ ଜନଜୀବନ ଠପ୍ ହୋଇଯାଇଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।