ବର୍ଷାରେ ବେହାଲ ସରକାରୀ ଅଫିସ । କେନ୍ଦ୍ରାପଡା ତିନିମୁହାଣୀରେ ଉଠା ଜଳସେଚନ ବିଭାଗ ଅଫିସ ଭିତରେ ପଶିଲା ବର୍ଷା ଜଳ, ପାଣି ଭିତରେ ବସି କାମ କରୁଛନ୍ତି କର୍ମଚାରୀ ।

104

କନକ ବ୍ୟୁରୋ: ସରକାରୀ ଅଫିସ ଭିତରେ ପଶିଲା ବର୍ଷା ପାଣି । ଗୋଟିଏ ଦିନର ବର୍ଷାରେ ବେହାଲ ସରକାରୀ ଅଫିସ । କେନ୍ଦ୍ରାପଡା ଜିଲ୍ଲା ତିନି ମୁହାଣୀରେ ଥିବା ଉଠା ଜଳସେଚନ ବିଭାଗ ଅଫିସ ଭିତରେ ବର୍ଷା ଜଳ ଜମି ରହିଛି । ଅଫିସ ଭିତରେ ବର୍ଷା ପାଣି ଲହଡି ଭାଙ୍ଗୁଥିବା ବେଳେ ପାଣି ଭିତରେ ବସି କାମ କରୁଛନ୍ତି କର୍ମଚାରୀ । ଅଫିସର କାଗଜ ପତ୍ର ଟେବୁଲ ଓ ଚେୟାର ଉପରେ ରଖାଯାଇଛି । ଅଫିସ ବାହାରେ ରାସ୍ତା ଉପରେ ଯେତିକି ପାଣି ଜମିଛି, ଭିତରେ ମଧ୍ୟ ସେତିକି ପାଣି ଜମି ରହିଛି । ଫଳରେ ଅଫିସ କାମ ବାଧାପ୍ରାପ୍ତ ହୋଇଛି । ତେବେ ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ଲାଗି ରହିଛି ।

ସେପଟେ ୨୪ ଘଂଟାରେ ଅବପାତର ରୂପ ନେବ ଲଘୁଚାପ । ଆସନ୍ତା ୨୪ ଘଂଟାରେ ଅବପାତର ରୂପ ନେବ ଉତର ଉତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ । ଏବେ ଏହା ପଶ୍ଚିମଦିଗରେ ଗତି କରିଛି । ଏହା ପ୍ରଭାବରେ ଆଜି ଓ ଆସନ୍ତାକାଲି ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସଂଭାବନା ରହିଛି । ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ଭୂସ୍ଖଳ ହେବାର ସମ୍ଭାବନା ରହିଛି ।