୧୯ରେ ଆଉ ଏକ ଲଘୁଚାପ । ୨୪ ଘଂଟା ପାଇଁ ୧୯ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

950

କନକ ବ୍ୟୁରୋ : ସାରା ଓଡିଶାକୁ ବର୍ଷାରୁ ନିସ୍ତାର ନାହିଁ । ଆସନ୍ତା ୧୯ ତାରିଖରେ ଉତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଏପଟେ ଏବେ ବି ସକ୍ରିୟ ଅଛି ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଅନେକ ସ୍ଥାନରେ ବର୍ଷା ଯୋଗୁଁ ଗାଁ ଗଣ୍ଡାରେ ପାଣି ପଶିବା ସହ ରାସ୍ତା ଘାଟ ଧୋଇ ଯାଇଛି । ଏହି ବର୍ଷା ଅହୁରି ୨ ଦିନ ହେବ । ଆସନ୍ତା ୨୪ ଘଂଟା ପାଇଁ ୧୨ଟି ଜିଲ୍ଲାରେ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ସମ୍ବଲପୁର, ଦେବଗଡ, ବରଗଡ, ଝାରସୁଗୁଡା, ଅନୁଗୁଳ, ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିଭଳି ଭାବେ ଆଜି ଠାରୁ ଆସନ୍ତାକାଲି ସକାଳ ସାଢେ ୮ଟା ଭିତରେ ୫ଟି ଜିଲ୍ଲାରେ ଭିଷଣ ବର୍ଷାର ଆଶଙ୍କା କରିଛି ଆଇଏମଡି । ସମ୍ବଲପୁର, ଦେବଗଡ, ବରଗଡ, ଝାରସୁଗୁଡା ଏବଂ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ଭିଷଣ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ଆଇଏମଡି ।

ଏହାସହ ଆଜି ପାଇଁ ବାଲେଶ୍ୱର, ମୟୂରଭଂଜ, ଭଦ୍ରକ, କଟକ, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ବର୍ଷା ଲାଗି ରହିବ । ୧୬ ତାରିଖରେ ୭ଟି ଜିଲ୍ଲାରେ ବର୍ଷା ହୋଇପାରେ । କୋରାପୁଟ, ନୂଆପଡା, ବରଗଡ, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ୧୭ ତାରିଖରେ ପାଗରେ କିଛି ମାତ୍ରାର ପରିବର୍ତନ ହେବ । ପୁଣି ୧୮ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭବନା ରହିଛି । ୧୯ରେ ଉତର ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରୁ ବର୍ଷା ହେବ ବୋଲି ଅନୁମାନ କରିଛି ଆଇଏମଡି ।