କାଲିଠୁ ପ୍ରବଳ ବର୍ଷିବ ! ରାଜ୍ୟରେ ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସୂଚନା

950

କନକ ବ୍ୟୁରୋ: ମୌସୁମୀ ଟ୍ରଫ୍‌ ଏବେ ବିକାନେର୍‌, ଗ୍ବାଲିଅର୍‌, ସିଧି, ଦେହରି, ଧାନ ବାଦ୍‌ ଓ କୋଲ କାତା ମଧ୍ୟ ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ମୁହାଁ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୩ ଓ ୧୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଆସନ୍ତା ୧୩ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଫଳରେ ରାଜ୍ୟରେ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।

ଆଞ୍ଚଳିକ ପା‌ଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ମୌସୁମୀ ଟ୍ରଫ୍‌ ସ୍ବାଭାବିକ ସ୍ଥାନରେ ଥିବାରୁ ଆଜି ରାଜ୍ୟର ଅନେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। କିନ୍ତୁ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ବରଗଡ଼, ସୋନପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ୧୩ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବ। ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କନ୍ଧମାଳର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କିନ୍ତୁ ଅଲଗା ତଥ୍ୟ ଦେଉଛି। ତାଙ୍କ ପୂର୍ବାନୁମାନ କହୁଛି, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପ ବର୍ଷାର ସମ୍ଭାବନା ନାହିଁ। ତେବେ ଅଗଷ୍ଟ ୧୨ ଓ ୧୩ ତାରିଖରେ ମୌସୁମୀ ଟ୍ରଫ୍‌ର ଓଡ଼ିଶା ସଂଲଗ୍ନ ପୂର୍ବ ଭାଗରେ ଏକ ଘୂର୍ଣ୍ଣିବଳୟ ସନ୍ନିହିତ ହେବାର ସମ୍ଭାବନା ଥିବାରୁ ଏହି ଦୁଇ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ପଶ୍ଚିମ ସୀମାନ୍ତ ବରଗଡ଼ଠାରୁ ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାନେ ସ୍ଥାନେ ଭାରୀ ବର୍ଷାର ସମ୍ଭାବନା ରହିଛି। ସେହିପରି ଆଭ୍ୟନ୍ତରୀଣ ଦକ୍ଷିଣ‌ରେ ଅଧିକ ବର୍ଷା ହେବ। କିନ୍ତୁ ରାଜ୍ୟରେ ୧୪ ତାରିଖରୁ ବର୍ଷା କମିଯିବ। ଅଗଷ୍ଟ ୧୬ ଓ ୧୭ରେ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗରେ ଏକ ଘୂର୍ଣ୍ଣିବଳୟ ଯୋଗୁଁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ। ୧୮ରୁ ପୁଣି କମିଯିବ। ଅନୁମାନ କରାଯାଇଛି ଯେ, ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସମୁଦାୟ ବର୍ଷା କେନ୍ଦ୍ରୀୟ ଓଡ଼ିଶାରେ ୫୦ ମିମି, ଯାହାକି ସ୍ବାଭାବିକ ବର୍ଷାଠାରୁ ୩୦% କମ୍‌ ରେକର୍ଡ କରାଯିବ। ତେବେ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ପ୍ରାୟତଃ ସ୍ବାଭାବିକ ବର୍ଷା (୭୦ମିମି-୯୦ ମିମି) ହେବ। ସେ କହିଛନ୍ତି, ଗତ ତିନି ଦିନ ଭିତରେ ରାଜ୍ୟ ଓ ଏହାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇ ନଥିଲା। ମୌସୁମୀ ଟ୍ରଫ୍‌ ସ୍ବାଭାବିକ ସ୍ଥାନରେ ରହିଥିବାରୁ ରାଜ୍ୟରେ ମୌସୁମୀ କିଛି ମାତ୍ରାରେ ସକ୍ରିୟ ରହିଛି। ଏଣୁ କେତେକ ସ୍ଥାନରେ ବର୍ଷା ହୋଇଛି।