ରାଜ୍ୟରେ ଏଯାଏଁ ୨୮% ଅଧିକ ବର୍ଷା । ୧୮ ଜିଲ୍ଲାରେ ଅଧିକ, ୫ ଜିଲ୍ଲାରେ ନିଅଣ୍ଟିଆ ।

873

କନକ ବ୍ୟୁରୋ : ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଛି । ଚଳିତବର୍ଷ ଠିକ୍‌ ସମୟରେ ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିଥିବା ବେଳେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟର କିଛି କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ମଧ୍ୟ ହୋଇଛି । ରାଜ୍ୟର ପ୍ରାୟ ୧୮ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ କହିଛନ୍ତି, ୫ ଜୁନ୍‌ରୁ ୧୮ ଜୁନ୍‌ ମଧ୍ୟରେ ରାଜ୍ୟରେ ୨୮ ପ୍ରତିଶତ ଅଧିକ ବର୍ଷା ହୋଇଛି । ରାଜ୍ୟରେ ଏହି ସମୟରେ ସ୍ୱାଭାବିକ ଭାବେ ୧୦୨.୧ ମିମି ବର୍ଷା ହେବା କଥା । କିନ୍ତୁ ଚଳିତବର୍ଷ ଏହି ସମୟରେ ବର୍ଷାର ପରିମାଣ ୧୩୦.୬ ମିମି ହୋଇଛି । ରାଜ୍ୟର ୧୮ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ଓ ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ବଲାଙ୍ଗୀର, କେନ୍ଦ୍ରାପଡ଼ା, ବୌଦ୍ଧ, ନବରଙ୍ଗପୁର ଓ ଯାଜପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଆଜି ପର୍ଯ୍ୟନ୍ତ ସର୍ବାଧିକ ବର୍ଷା ଝାରସୁଗୁଡ଼ା ଜିଲ୍ଲାରେ ହୋଇଛି । ଏଠାରେ ୨୩୯.୩ ମିମି ବର୍ଷା ହୋଇଛି । ଝାରସୁଗୁଡ଼ା, ଢେଙ୍କା‌ନାଳ, କୋରାପୁଟ, ଗଞ୍ଜାମ, ମାଲକାନଗିରି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ବାକି ୧୨ଟି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ମୌସୁମୀ ସକ୍ରିୟ ଥିବା ବେଳେ ବର୍ତ୍ତମାନ ପାକିସ୍ତାନରୁ ମଣିପୁର ପର୍ଯ୍ୟନ୍ତ ଏକ ସିଜିନାଲ୍‌ ଟ୍ରାପ୍‌ ରହିଛି ଯାହାକି ସମାନ୍ତରାଳ ଭାବେ ବିହାର ଓ ପଶ୍ଚିମବଙ୍ଗ ଆଡ଼କୁ ରହିଛି । ଏହା ଉତ୍ତର ଆଡ଼କୁ ଗତି କରୁଥିବାରୁ ଏବେ ଦୁଇ ଦିନ ଓଡ଼ିଶାରେ ବର୍ଷା କମ୍‌ ରହିବ ।

ଗତକାଲି ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଥିଲା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟ ବର୍ଷା କମ୍‌ ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ କିନ୍ତୁ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ । ୨୦ ତାରିଖ ଦିନ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ଆଦି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।