କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡଘଡ଼ି ସହ ବଜ୍ରପାତ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ୨୮ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆକଳନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ। ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ହେବ। ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ। ଏଥିସହ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ସହ କୁଅପଥର ବର୍ଷା ହୋଇପାରେ। ସେହିପରି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
୨୬ ତାରିଖ ଅପରାହ୍ଣରୁ ୨୭ ତାରିଖ ମଧ୍ୟାହ୍ନ ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ପବନର ପ୍ରଭାବ ଦେଖିବାକୁ ମିଳିବ। ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ ଓ ସୋନପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ସେହିପରି ଉପକୂଳ ଓଡ଼ିଶା ସମେତ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗିରହିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ଦିନର ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବନି। ସ୍ୱାଭାବିକଠାରୁ ୩ ଡିଗ୍ରି କମ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/RAIN-2.jpg)