ଆହୁରି ୨୪ ଘଂଟା ଛେଚିବ ! ଲଘୁଚାପ ପ୍ରଭାବରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଅରେଂଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

591

କନକ ବ୍ୟୁରୋ: ଉତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ । ସଂବଲପୁର, ଦେବଗଡ, ଝାରସୁଗୁଡା, ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାରେ ଆସନ୍ତା ୨୪ ଘଂଟା ଜାରି ରହିବ ବର୍ଷା । ଏହି ଜିଲ୍ଲା ଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାସହ କେନ୍ଦୁଝର, ଅନୁଗୁଳ, ନୂଆପଡା, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକରେ ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି ଲଘୁଚାପ ପଶ୍ଚିମବଙ୍ଗ ଓ ବାଲାଂଦେଶ ଅଂଚଳର ସାମୁଦ୍ରିକ କ୍ଷେତ୍ରରେ ଏବେ ରହିଛି । ଆସନ୍ତା ୨୪ଘଂଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ କାରଣରୁ ରାଜାରେ ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି ।

ଓଡ଼ିଶାରେ ଜୁନ୍ ୧ରୁ ଅଗଷ୍ଟ ୫ ମଧ୍ୟରେ କେମିତି ଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସ୍ଥିତି । ବର୍ଷାର ପରିମାଣକୁ ନେଇ ତଥ୍ୟ ରଖିଲା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଜୁନ୍ ୧ରୁ ୫ ଅଗଷ୍ଟ ଭିତରେ ସ୍ୱାଭାବିକ ଠାରୁ ୧୧ ପ୍ରତିଶତ କମ୍ ବର୍ଷା ରେକର୍ଡ଼ କରାଯାଇଛି । ଏହି ସମୟରେ ୬୨୫ ଦଶମିକ ୯ ମିଲିମିଟର ବର୍ଷା ରେକଡ଼ କରାଯାଏ । କିନ୍ତୁ ଚଳିତ ବର୍ଷ ୫୫୩ ଦଶମିକ ୯ ମିଲିମଟର ବର୍ଷା ରେକର୍ଡ଼ କରାଯାଇଛି । ଯାଜପୁର ବାଲେଶ୍ୱର କେନ୍ଦ୍ରାପଡ଼ା, ଖୋର୍ଦ୍ଦା, କଟକ, ନୟାଗଡ଼, ସୋନପୁର, ଜଗତସିଂହପୁର, ମୟୁରଭଂଜ, ପୁରୀ, ବଲାଙ୍ଗୀରରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ଼ କରାଯାଇଛି । ସେହିଭଳି ଏହି ସମୟ ମଧ୍ୟରେ ରାଜ୍ୟର ଅବଶିଷ୍ଟ ୧୯ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ଼ କରାଯାଇଥିବା ଆଂଚଳିକ ପାଣିପାଗ ବିଭାଗ କହିଛି । ଯାଜପୁରରେ ସର୍ବନିମ୍ନ ୪୨ ପ୍ରତିଶତ କମ୍ ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ସ୍ୱାଭାବିକ ଠାରୁ ୧୬ ପ୍ରତିଶତ ଅଧିକ ବର୍ଷା ହୋଇଛି ।