କମିବ ତାପମାତ୍ରା,କାଳବୈଶାଖୀ ଆଶଙ୍କା…ଆଜିଠୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

720

କନକ ବ୍ୟୁରୋ: ରାଜ୍ୟର ଅନେକ ସ୍ଥାନରେ ବଢ଼ିଛି ତାପମାତ୍ରା । ୨ ଦିନର ବ୍ୟବଧାନ ପରେ ପୁଣି ଥରେ ତାଳଚେରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ମାଲକାନାଗରିରେ ତାପମାତ୍ରା ୪୦ ଡିଗ୍ରିରେ ହିଁ ସ୍ଥିର ରହିଛି। ଅନୁଗୁଳ, ବାରିପଦା ଓ ବୌଦ୍ଧ ଆଦି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିଛି। ତେବେ ଆଗାମୀ ଦିନରେ ତାପମାତ୍ରା ବିଶେଷ ବଢ଼ିବାର ନାହିଁ। ବରଂ କିଛି କିଛି ସ୍ଥାନରେ ଗରମ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ଆକଳନ କହୁଛି, ଆଜି ଅପରାହ୍ଣରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ ଢେଙ୍କାନାଳର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ସେହିପରି ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତଥା ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବାଲେଶ୍ବର, ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ। ଏହି ସମୟରେ ଏସବୁ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ୮ରୁ ୧୦ ତାରିଖରେ ଓଡ଼ିଶାର ଉପକୂଳ ସଂଲଗ୍ନ ଅଞ୍ଚଳରେ ଉପରବେଳା କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଭୁବନେଶ୍ବର ଓ ଏହା ସଂଲଗ୍ନ ଅଞ୍ଚଳରେ ବର୍ଷା ହେବାର ଅଧିକ ସମ୍ଭାବନା ରହିଥିବା ବେଳେ ୯ ତାରିଖରେ ଯାଜପୁର, କେନ୍ଦ୍ରାପଡ଼ା ଓ କଟକରେ ବି ବର୍ଷା ହେବାର ସମ୍ଭାବନା ରହିଛି। ଏହା ଫଳରେ ଏହି ସବୁ ଅଞ୍ଚଳରେ ତାପମାତ୍ରା ୧୦ ତାରିଖ ପର୍ଯ୍ୟନ୍ତ ବଢ଼ିବ ନାହିଁ। ୧୦ ତାରିଖ ପରେ ତାପମାତ୍ରା ବଢ଼ିବା ଆରମ୍ଭ କରିବ। ତେବେ ବଲାଙ୍ଗୀର ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ କାଲିଠାରୁ ତାପମାତ୍ରା ବଢ଼ିବ। ଢେଙ୍କାନାଳ, ଅନୁଗୁଳ ଓ ସମଗ୍ର କେନ୍ଦ୍ରୀୟ ଓଡ଼ିଶାରେ ୧୦ ତାରିଖରୁ ତାପମାତ୍ରା ବଢ଼ିବ। ଝାରସୁଗୁଡ଼ା ସମେତ ଅନ୍ୟ କେତେକ ସ୍ଥାନରେ ୧୧ ତାରିଖଠାରୁ ତାପମାତ୍ରା ବଢ଼ିବ। ଫଳରେ ୧୩ ତାରିଖ ବେଳକୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୧ ଡିଗ୍ରି ଅତିକ୍ରମ କରିଥିବ। କିନ୍ତୁ ୧୪ ଓ ୧୫ ତାରିଖରେ କେତେକ ସ୍ଥାନରେ ସାମୟିକ ଭାବେ ତାପମାତ୍ରା କମିବ।