ବର୍ଷା ଆଣୁଛି ଲଘୁଚାପ, ତାତିରୁ ମିଳିପାରେ ଆଶ୍ୱସ୍ତି ! କାଲିଠୁ ବଢିବ ବର୍ଷା ପରିମାଣ…ଆଜି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

768

କନକ ବ୍ୟୁରୋ: ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବ। ଉଭୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଓ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ୩ତାରିଖ ଦିନ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୪ତାରିଖ ଦିନ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହେବ ଓ ରାଜ୍ୟରେ ୩ରୁ ୬ତାରିଖ ଯାଏ ବର୍ଷା ହେବ। ସେହିପରି ୮ତାରିଖ ଦିନ ମଧ୍ୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଫଳରେ ୮ରୁ ୧୧ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ବାସ କହିଛନ୍ତି, ସାମ୍ଭାବ୍ୟ ଲଘୁଚାପ ଯୋଗୁଁ ମୌସୁମୀ ଟ୍ରଫ୍ ଲାଇନ୍ ଏବେ ଦକ୍ଷିଣମୁହାଁ ହୋଇଛି। ରାଜସ୍ଥାନରୁ ଏହା ବଙ୍ଗୋପସାଗର ଆଡ଼କୁ ଯାଉଛି। ଫଳରେ ରାଜ୍ୟରେ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି। ୪ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଯୋଗୁଁ ରାଜ୍ୟରେ ୪ ଓ ୫ତାରିଖ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଉପକୂଳ ଓଡ଼ିଶାର ବି ଅନେକ ସ୍ଥାନରେ ବର୍ଷା ହୋଇପାରେ।

 

ଆଭ୍ୟନ୍ତରୀଣ ଓଡ଼ିଶାର ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୪ ଓ ୫ ତାରିଖରେ ବର୍ଷାର ପରିମାଣ ବଢ଼ିବ। ବିସ୍ତୃତ ଭାବେ ସାରା ରାଜ୍ୟରେ ଏହି ଦୁଇ ଦିନ ବର୍ଷା ହେବ ଓ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୬ ତାରିଖରେ ବି ଅନେକ ସ୍ଥାନରେ ବର୍ଷା ହୋଇପାରେ। ଏହାପରେ ଆଉ ଥରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। କିନ୍ତୁ ଏହାର ସ୍ପଷ୍ଟ ଚିତ୍ର ଆସିନାହିଁ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।