ବାତ୍ୟା ହେବନି କି ଓଡ଼ିଶା ଉପରେ ପ୍ରଭାବ ପଡ଼ିବନି: ହେଲେ କାଳବୈଶୀଖୀ ସମ୍ଭାବନା; ନିର୍ଦିଷ୍ଟ ସମୟ ପୂର୍ବରୁ କେରଳ ଛୁଇଁପାରେ ମୌସୁମୀ

737

କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଗକୁ କିଭଳି ରୂପ ନେବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏହା ଉପରେ କୌଣସି ପୂର୍ବାନୁମାନ କରିନାହିଁ। ସେପଟେ ପାଣିପାଗ ବିଜ୍ଞାନୀ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ଯେ ଲଘୁଚାପ ବାତ୍ୟା ରୂପ ନେବାର ନାହିଁ କିମ୍ବା ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ।

ଡ. ପଶୁପାଳକଙ୍କ କହିବା କଥା ହେଉଛି, ଏକ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ଥିର ରହିଛି। ୩ ତାରିଖ ତଥା ଆଜି ଏହା ଉତ୍ତର ପଶ୍ଚିମ ଦିଗକୁ ମନ୍ଥର ଗତିରେ ଆଗକୁ ବଢିବ। ତେବେ ୪ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ଧାରଣ କରିବ। ୫ ତାରିଖରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ଓ ଗତିଶୀଳ ହେବା ଲାଗି ଉଦ୍ୟମ କରିବ।

ମାତ୍ର ଲଘୁଚାପକୁ ବଳ ମିଳିବାର କୌଣସି ସୁଯୋଗ ନାହିଁ। ନା ଆଗକୁ ବଢିପାରିବ ନା ଅଧିକ ଶକ୍ତିଶାଳୀ ହୋଇପାରିବ। ପାଣିପାଗର ଏଭଳି ସ୍ଥିତି ଏହି ଅବପାତକୁ ୭ ତାରିଖରେ ସେହି କେନ୍ଦ୍ରୀୟ ବଙ୍ଗୋପସାଗରରେ ହିଁ ନିଷ୍ପ୍ରଭ କରିଦେବ ବୋଲି ଡ. ପଶୁପାଳକ କହିଛନ୍ତି। ଅନ୍ୟପକ୍ଷରେ ତାଙ୍କ ପ୍ରୂ୍ବାନୁମାନ ଅନୁସାରେ, ଆଣ୍ଡାମାନରେ ପ୍ରବଳ ବର୍ଷା ହେବ ଓ ୫ ତାରିଖରୁ ଧୀରେ ଧୀରେ ତାତି ବଢିବ। ହେଲେ ଯେହେତୁ କାଳବୈଶାଖୀ ଜାରି ରହିଛି, ଏଣୁ ତାତି ଉପରକୁ ଉଠିବା ସମ୍ଭାବନା ମଧ୍ୟ କ୍ଷୀଣ। ତେବେ କେରଳ,ତାମିଲନାଡୁରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ଓ ନିର୍ଦିଷ୍ଟ ସମୟ ପୂର୍ବରୁ କେରଳରେ ମୌସୁମୀ ପ୍ରବେଶ କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେଉନାହିଁ ବୋଲି ଡ. ପଶୁପାଳକ କହିଛନ୍ତି।