କନକ ବ୍ୟୁରୋ : ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ । ୨୪ ଘଣ୍ଟା ମଧ୍ୟରେ ନେଇପାରେ ଲଘୁଚାପର ରୂପ । ପ୍ରଭାବରେ ୩ ଓ ୪ ତାରିଖରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ । ଶନିବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୩ ତାରିଖରେ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲା, ୪ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା ଓ ୫ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା‌ରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସହ ଏକ ନିମ୍ନଚାପ ରେଖା ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବାରୁ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷାର ସମ୍ଭାବନା ରହିଛି ।

Advertisment

ସେପଟେ, ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୪ଡିଗ୍ରି ଅଧିକ ରହୁଛି। ଆଦ୍ରତା ୬୦% କିମ୍ବା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ବର୍ଷା ୧.୬ମିମି ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୮୦% କମ୍‌ । ମୌସୁମୀ ନିମ୍ନଚାପ ରେଖା ତାହାର ସାଧାରଣ ଅବସ୍ଥାନଠାରୁ ଯଥେଷ୍ଟ ଉତ୍ତରରେ ରହୁଥିବାରୁ ଓଡ଼ିଶା ସମେତ ସାରା ଦେଶରେ ମୌସୁମୀ ଦୁର୍ବଳ ରହିଛି । ତେଣୁ ବର୍ଷା ପରିମାଣ କମିଛି। ଜୁନ୍‌ ୧ରୁ ସେପ୍ଟେମ୍ବର ୧ ମଧ୍ୟରେ ସ୍ବାଭାବିକ ଭାବେ ୯୨୨.୩ ମିମି ବର୍ଷା ହେବା କଥା । ମାତ୍ର ଚଳିତବର୍ଷ ୭୮୪.୯ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ୧୫% କମ୍‌ । ୧୮ଟି ଜିଲ୍ଲାରେ ସ୍ବାଭାବିକ ଓ ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ନବରଙ୍ଗପୁରରେ ସର୍ବାଧିକ ୪୨%, କେନ୍ଦ୍ରାପଡ଼ାରେ ୩୮%, ଗଞ୍ଜାମରେ ୩୫% ନିଅଣ୍ଟିଆ ବର୍ଷା ହୋଇଛି ।