ଲଘୁଚାପ ଯୋଗୁଁ ରାଜ୍ୟରେ ଅଗଷ୍ଟରେ ଅଧିକ ବର୍ଷା: ଏସଆରସିଙ୍କ ସୂଚନା, ୧୭ଟି ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତଠାରୁ ଅଧିକ, ୧୨ଟି ଜିଲ୍ଲାରେ ସାଧାରଣ ବର୍ଷା

କେବଳ ନୂଆପଡାରେ ନିଅଂଟିଆ ବର୍ଷା

228

କନକ ବ୍ୟୁରୋ: ଅଗଷ୍ଟରେ ପୂରଣ ହେଲା ଅଭାବ । ଜୁନ-ଜୁଲାଇ ମାସରେ ହୋଇଥିବା ବର୍ଷାଭାବ ଅଗଷ୍ଟ ମାସରେ ପୂରଣ ହୋଇଛି । ଲଗାତର ଲଘୁଚାପ ଯୋଗୁଁ ରାଜ୍ୟରେ ଅଗଷ୍ଟ ମାସରେ ଅଧିକ ବର୍ଷା ହୋଇଛି । ଗତ ଜୁନ୍ ମାସରୁ ଆଜି ଯାଏଁ ରାଜ୍ୟରେ ସାଧାରଣ ବୃଷ୍ଟିପାତ ଠାରୁ ୧ ଦଶମିକ ୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଜୁନ୍ ମାସରେ ସାଧାରଣ ବୃଷ୍ଟିପାତ ଠାରୁ ୯ ଦଶମିକ ୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ବର୍ଷାର ବିଲକୁଲ୍ ଦେଖା ନଥିଲା ।

ତେଣୁ ଜୁଲାଇ ମାସରେ ସ୍ୱାଭାବିକ ଠାରୁ ୩୪ ଦଶିମକ ୯ ପ୍ରତିଶତ କମ୍ ବର୍ଷା ହୋଇଥିଲା । ହେଲେ ଅଗଷ୍ଟ ମାସରେ ହୋଇଥିବା ଅଧିକ ବର୍ଷା କେତେକ ଅଂଚଳକୁ ଜଳବନ୍ଦୀ କରିଛି ସତ, ହେଲେ ଚାଷ ପାଇଁ ରାଜ୍ୟରେ ସୃଷ୍ଟି ହୋଇଥିବା ଜଳାଭାବ ଦୂର ହୋଇଛି । ଅଗଷ୍ଟରେ ୪୫ ଦଶମିକ ୨ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଏସଆରସି କହିଛନ୍ତି । ତେବେ ଅଗଷ୍ଟ ମାସରେ ୧୭ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୧୯ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ୧୨ଟି ଜିଲ୍ଲାରେ ସାଧାରଣ ବର୍ଷା ହୋଇଛି । କେବଳ ନୂଆପଡାରେ ଏବେ ବି ନିଅଂଟିଆ ବର୍ଷା ରହିଛି ।