ସକ୍ରିୟ ହେଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ : ପ୍ରଭାବରେ ଅନେକ ରାଜ୍ୟରେ ବର୍ଷା, ଓଡିଶାରେ ୧୫ ଯାଏ ପ୍ରବଳ ବର୍ଷା ହେବ ସୂଚନା

270

କନକ ବ୍ୟୁରୋ : ଉତ୍ତର ଓଡିଶା ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି । ଏବେ ସଦ୍ୟ ସୂଚନା ଅନୁଯାୟୀ ଆସନ୍ତା ସପ୍ତାହରେ ଆଉ ଦୁଇ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଏଥିଯୋଗୁଁ ୧୫ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଜାରି ରହିବ ବୋଲି ସୂଚନା ମିଳିଛି । ୧୦ ଓ ୧୪ରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡିଶାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ।

୯ ତାରିଖ ଯାଏ ବିଭିନ୍ନ ସ୍ଥାନରେ ଏହିଭଳି ଭାବେ ବର୍ଷା ଜାରି ରହିବ । ୧୦ ତାରିଖ ଅର୍ଥାତ ବାହୁଡ଼ାରେ ବର୍ଷାର ପରିମାଣ ଓ ବିସ୍ତୃତିରେ ବୃଦ୍ଧି ଦେଖାଯିବ । ସାରାରାଜ୍ୟରେ ବର୍ଷା ହେବ, କିନ୍ତୁ ଉତ୍ତର ଓଡ଼ିଶାରେ ପ୍ରଭାବ କମ୍ ରହିବ । ୧୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହା ଦକ୍ଷିଣ ଆଡ଼େ ଢଳି ରହିବ, ଫଳରେ ଦକ୍ଷିଣ ଓଡ଼ିଶା କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଓ ଗଞ୍ଜାମରେ ପ୍ରଭାବ ଅଧିକ ରହିବ ।

ସାରା ଦେଶରେ ସକ୍ରିୟ ହୋଇଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ତେଣୁ ପ୍ରାୟତଃ ରାଜ୍ୟ ଗୁଡିକରେ ବର୍ଷା ହେବ । ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ଼, କୋଙ୍କଣ, ଗୋଆ, ଉପକୂଳ କର୍ଣ୍ଣାଟକ ଓ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଏପରି ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର କହିବା ଅନୁସାରେ ଓଡ଼ିଶା, ଜମ୍ମୁ-କଶ୍ମୀର, ଲେହ-ଲଦାଖ, ଗିଲଗିଟ-ବାଲଟିସ୍ତାନ, ପିଓକେର ମୁଜାଫରାବାଦ, ହିମାଚଳପ୍ରଦେଶ, ଉତରାଖଣ୍ଡ, ତ୍ରିପୁରା, ଗୁଜରାଟରେ ଆଦି ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । କେତେକ ଅଂଚଳରେ ଘଡ଼ଘଡ଼ି ଓ ବିଜୁଳି ମାରିବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ କେନ୍ଦ୍ର ଓ ଉତର ପଶ୍ଚିମ ଭାରତର କିଛି ରାଜ୍ୟରେ ମୌସୁମୀ ଟିକେ ଧିମେଇଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି ।

ଅସରାଏ ବର୍ଷାରେ ଉବୁଟୁବୁ ବାଣିଜ୍ୟନଗରୀ ମୁମ୍ବାଇ । ସୋମବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ମଙ୍ଗଳବାର ସକାଳ ଭିତରେ ମୁମ୍ବାଇ ସହରରେ କୁତ୍ରିମ ବନ୍ୟା ସମସ୍ୟା ନେଇ ଆସିଛି । ସ୍ଥିତି ଏଭଳି ହୋଇଛି କି ମାୟାନଗରୀର ଯେଉଁଠି ଆଖି ପଡୁଛି ସେଠି କେବଳ ପାଣି ହିଁ ପାଣି । ମେଟ୍ରୋଠୁ ନେଇ ବସ ଷ୍ଟପ, ଘର ଦ୍ୱାରଠୁ ନେଇ ରାସ୍ତାଘାଟ । ସବୁ କିଛି ଜଳମଗ୍ନ ହୋଇପଡିଛି । ଯାତାୟତ ଏକ ପ୍ରକାର ଠପ ହେବା ସହ ମୁମ୍ବାଇବାସୀ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହୋଇଛନ୍ତି ।