୨୧ରୁ ପୁଣି ରାଜ୍ୟରେ ବଢ଼ିବ ବର୍ଷା : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

414

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇଛି । ବାଲେଶ୍ବର ଜିଲ୍ଲା ନୀଳଗିରିରେ ରାଜ୍ୟର ସର୍ବାଧିକ ବର୍ଷା ୬୭.୦ମିମି ରେକର୍ଡ ହୋଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି । ତେବେ ଆସନ୍ତା ୨ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ୨୧ ତାରିଖରୁ ପୁଣି ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଗତକାଲି ପଶ୍ଚିମବଙ୍ଗ ଉପରେ ରହିଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଏବେ ଦକ୍ଷିଣ-ପଶ୍ଚିମ ବିହାର ଓ ସଂଲଗ୍ନ ଅଞ୍ଚଳରେ ରହିଛି । ଆଉ ଏକ ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି । ଓଡ଼ିଶା ଉପରେ ରହିଥିବା ସିଜିନାଲ୍‌ ଟ୍ରପ୍‌-ଲାଇନ୍‌ ଏବେ ଲଘୁଚାପ କ୍ଷେତ୍ର ଦେଇ ଗତି କରୁଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ମଧ୍ୟ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି କେନ୍ଦ୍ର କହିଛି ।

‌କେନ୍ଦ୍ର ଆହୁରି କହିଛି, ୧୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ । ୨୦ ଜୁନ୍‌କୁ ପାଗ ଶୁଖିଲା ରହିପାରେ । ତେବେ ୨୧ ତାରିଖ ଆଡ଼କୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେ ଦିନ କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ବରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହେବ । ୨୨ ତାରିଖ ଦିନ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ । ବିଶେଷକରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହ, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି ।

ଷ୍ଟ୍ରିପ୍‌ ପ୍ରେସର୍‌ ଗ୍ରାଡିଏଣ୍ଟ୍‌ ଓ ରାଜ୍ୟକୁ ମୌସୁମୀ ପ୍ରବାହ ଯୋଗୁଁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଖୁବ୍‌ ଜୋରରେ ପବନ ପ୍ରବାହିତ ହେବ । ଏହି ସମୟରେ ପବନର ବେଗ ପ୍ରାୟ ୪୦ରୁ ୫୦ କିମି ରହିବ । ମଝିରେ ମଝିରେ ୬୦ କିମିର ପବନର ବେଗ ମଧ୍ୟ ଅନୁଭୂତ ହୋଇପାରେ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Comments are closed.