ରାଜ୍ୟରେ କାଳବୈଶାଖୀ ସହ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା : ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ‌ଆର‌ସି

360

କନକ ବ୍ୟୁରୋ : ରାଜ୍ୟରେ ଏବେ କାଳବୈଶାଖୀଜନିତ ବର୍ଷା ଜାରି ରହିଛି। ଆସନ୍ତା ୧୫ ତାରିଖ ଯାଏ ପାଗରେ ବିଶେଷ ପରିବର୍ତ୍ତନ ନାହିଁ। ରାଜ୍ୟରେ ତାତି କମିବ ଓ ପାଗ ଥଣ୍ଡା ରହିବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କୋରାପୁଟ ଜିଲ୍ଲା ଲମତାପୁଟଠାରେ ସର୍ବାଧିକ ୮୦ ମିମି ବର୍ଷା ରେକର୍ଡ ହୋଇଛି ।

ସେହିପରି କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦ ମିମି, କନ୍ଧମାଳ ନୂଆଗାଁ ଓ ଗଜପତି ଜିଲ୍ଲା ଆର୍‌ ଉଦୟଗିରିରେ ୨୦ ମିମି ଲେଖାଏଁ ଏବଂ ରାୟଗଡ଼ାଠାରେ ୧୦ ମିମି ବର୍ଷା ହୋଇଯାଇଛି । ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳ‌ବୈଶାଖୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏନେଇ ଏସଆରସି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ପର୍ଯ୍ୟନ୍ତ ରହିବ । ସେହିଭଳି ୧୩ ତାରିଖ ଦିନ ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ଏବଂ ୧୪ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ଝଡ଼ବର୍ଷା ହେବ ।

୧୫ ତାରିଖ ଦିନ ପବନର ବେଗ ବଢ଼ିବ । ଘଣ୍ଟାପ୍ରତି ୩୦ରୁ ୪୦ ମିମି ବେଗରେ ପବନ ବହିବା ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର ଓ ଭଦ୍ରକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା‌ରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ । ଭୁବନେଶ୍ବର ସମେତ ଏହାର ସଂଲଗ୍ନ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ପାଖାପାଖି ରହିବ ।